କୁଆଡେ ଗଲା ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ କଥା? ବିଜେଡି, ବିଜେପି, କଂଗ୍ରେସ ସମସ୍ତେ ଫେଲ୍…

90

କନକ ବ୍ୟୁରୋ: ମହିଳାଙ୍କୁ ନେଇ କୁଆଡ଼େ ଗଲା ରାଜନୈତିକ ଦଳଗୁଡ଼ିକର ପ୍ରତିବଦ୍ଧତା? ଓଡ଼ିଶାରେ ନା’ ଶାସକ ବିଜେଡି, ନା’ ବିରୋଧୀ ବିଜେପି ଓ କଂଗ୍ରେସ, କୌଣସି ଦଳ ମଧ୍ୟ ମହିଳାଙ୍କୁ ୩୩% ପ୍ରାର୍ଥୀ କରିବା ପାଇଁ ସଫଳ ହୋଇପାରିନାହାଁନ୍ତି । ଯେତେବେଳେ ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା । ଆଶା କରାଯାଉଥିଲା ଏଥର ରାଜନୈତିକ ଦଳଗୁଡ଼ିକ ମହିଳାଙ୍କୁ ପ୍ରାର୍ଥୀ କରିବାରେ ବେଶୀ ଆଗ୍ରହ ଦେଖାଇବେ । ହେଲେ ସେଭଳି କିଛି ହେଲାନାହିଁ ।

ଆଉ କିଛି ଦିନ ପରେ ୨୦୨୪ ନିର୍ବାଚନ ସରିଯିବ । ହେଲେ କୌଣସି ଦଳ ଉଭୟ ଲୋକସଭା କିମ୍ବା ବିଧାନସଭାରେ ୩୩% ମହିଳାଙ୍କୁ ଟିକେଟ୍ ଦେବାରେ ସମର୍ଥ ହୋଇନାହାଁନ୍ତି । ଓଡ଼ିଶାରେ ବିଜେଡି କେବଳ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି । ୨୧ରୁ ୭ ଆସନରେ ମହିଳା ପ୍ରାର୍ଥୀ ଦେଇଥିବା ବେଳେ ବିଧାନସଭାରେ ୩୫ଜଣ ମହିଳାଙ୍କୁ ଟିକେଟ୍ ଦେଇ ୩୩ ପ୍ରତିଶତ ସଂରକ୍ଷଣ ଲକ୍ଷ୍ୟ ପୂରଣ କରିପାରିନାହିଁ । ତେବେ କଂଗ୍ରେସ ଓ ବିଜେପି ବିଜେଡିଠାରୁ ବହୁ ପଛରେ ପଡ଼ିଛନ୍ତି । ଲୋକସଭାରେ ବିଜେପି ୩ ଓ କଂଗ୍ରେସ ୨ ମହିଳାଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ୨୧ ମହିଳାଙ୍କୁ ବିଧାନସଭାରେ ପ୍ରାର୍ଥୀ କରିଥିବାବେଳେ ବିଜେପି ମାତ୍ର ୧୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି । ଏଭଳି ସ୍ଥିତିରେ ଆଗକୁ କେମିତି ୩୩% ମହିଳା ସଂରଣକ୍ଷ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବେ ରାଜନୈତିକ ଦଳ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।