ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ କିଏ ମାରିବ ବାଜି? କେଉଁ ଦଳର ପ୍ରାର୍ଥୀ ଯିବେ ସଂସଦ? ବିଜେଡି-ବିଜେପି-କଂଗ୍ରେସ ବଳ କଷାକଷି । 

1,271

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନକୁ ହାତରେ ଆଉ ମାତ୍ର କେଇଟା ଦିନ ଥିବା ବେଳେ ପ୍ରଚାର ମଇଦାନରେ ନେତା । ଜୁନ୍ ୧ ତାରିଖରେ ପଡ଼ିବ ଶେଷ ପର୍ଯ୍ୟାୟ ମତଦାନ । ଏଥିମଧ୍ୟରୁ ସବୁ ଦଳର ନଜରରେ ରହିଛି ତିନି ଲୋକସଭା ଆସନ । କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ଦେଖିବାକୁ ମିଳିପାରେ ଜୋରଦାର ଲଢ଼େଇ । ଆଗକୁ ହେଭିୱେଟ ନେତାଙ୍କ ପ୍ରଚାର ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିବ ।

  • ବାଲେଶ୍ୱରରେ ବିଗ୍ ଫାଇଟ୍
  • ମଇଦାନରେ ହେଭିୱେଟ୍ 
  • ତ୍ରିମୁଖୀ ଲଢ଼େଇରେ କିଏ ମାରିବ ବାଜି?

ଏଥର ବାଲେଶ୍ୱରରେ ବଡ଼ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ପଟେ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀ । ସେପଟେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ବାଲେଶ୍ୱର ଲଢ଼େଇ ଏଥର ଏଥିପାଇଁ ସହଜ ହେବନି, କାରଣ ଗୋଟିଏ ପଟେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରତାପ ଷଡଙ୍ଗୀଙ୍କୁ ଘେରିଥିବା ବେଳେ ଆଉ ଗୋଟିଏ ପଟେ ବିଜେପିରୁ ଆସି ବିଜେଡି ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ, ନନାଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ଶ୍ରୀକାନ୍ତ ଜେନା ଓ ପ୍ରତାପ ଷଢଙ୍ଗୀ, କିଏ କାହାଠୁ କମ୍ ନୁହନ୍ତି । ଆଉ ଲେଖାଶ୍ରୀଙ୍କ ପାଖରେ ରହିଛି ବିଜେଡିର ତୃଣମୂଳ ସଂଗଠନ । ତେଣୁ ବାହାରକୁ ବାଲେଶ୍ୱର ଚିତ୍ର ଯେତିକି ସ୍ପଷ୍ଟ ଦେଖା ଯାଉଛି, କିନ୍ତୁ ସେତିକି ସହଜ ନୁହେଁ ।

  • କାହାକୁ ଆପଣାଇବ କେନ୍ଦ୍ରାପଡ଼ା?
  • ମଇଦାନରେ ବୈଜୟନ୍ତ ବନାମ ଅଂଶୁମାନ

ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଆସନ ପାଲଟିଛି କେନ୍ଦ୍ରାପଡ଼ା । ପ୍ରଧାନମନ୍ତ୍ରୀଙ୍କ ଘନଘନ ପ୍ରଚାର ପରେ ବୈଜୟନ୍ତ ପଣ୍ଡା ଆଶା ବାନ୍ଧିବା ସ୍ୱାଭାବିକ । କିନ୍ତୁ ଜନତା କାହା ଉପରେ ଆସ୍ଥା ରଖିବେ, ତାହା ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସରୁ ଆସି ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ଅଂଶୁମାନ, ନବୀନଙ୍କ ବଳରେ ବଳିୟାନ ହୋଇ କେନ୍ଦ୍ରାପଡ଼ା ଜିତିବା ପାଇଁ ଆଶା ରଖିଛନ୍ତି । ସେମିତିରେ ବି ଯୁବ ଓ ଲୋକପ୍ରିୟତା ଚେହେରା ହିସାବରେ ପରିଚିତ ଅଂଶୁମାନ । ତେଣୁ ଲଢ଼େଇ ଏକପାଖିଆ ହେବନି ।

ସେପଟେ ଭଦ୍ରକ ଲୋକସଭା ଆସନରେ କିଏ ଜିତିବ, ତାହା ହୁଏତ ବିଧାନସଭାର ପରିଣାମ ନିର୍ଦ୍ଧାରଣ କରିବ । ଭଣ୍ଡାରୀପୋଖାରୀରେ ନିରଞ୍ଜନ ପଟ୍ଟନାୟକଙ୍କ ଭଳି ନେତା ଚାନ୍ଦବାଲିରେ ମନମୋହନ ସାମଲଙ୍କ ଭଳି ତୁଙ୍ଗ ନେତୃତ୍ୱ ଏବଂ ବିଧାନସଭା ଆସନ ଗୁଡ଼ିକରେ ବିଜେଡି ସଂଗଠନ କେତେବେଳେ କେଉଁ ଆଡ଼କୁ ମୋଡ଼ିବ, ତାହା ଆକଳନ କରିବା କଷ୍ଟକର । ଏଭଳି ସ୍ଥିତିରେ ଭଦ୍ରକ ଦେଖିପାରେ ବଡ଼ ଲଢ଼େଇ ।

ଶେଷ ପର୍ଯ୍ୟାୟରେ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା । ଏହାରି ଭିତରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିବେ କେନ୍ଦ୍ରୀୟ ନେତୃତ୍ୱ । ୩୦ରେ ରାହୁଲ ଗାନ୍ଧୀ ଏବଂ ୨୯ରେ ଆସୁଛନ୍ତି ନରେନ୍ଦ୍ର ମୋଦୀ । ତେଣୁ କେଉଁ ଆସନରେ କିଏ ବାଜି ମାରିବ, ତାହା ୪ରେ ସ୍ପଷ୍ଟ ହୋଇଯିବ ।