ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ । ସିରିଜରେ ଅପରାଜୟ ଥିବା ଟିମ ଇଣ୍ଡିଆ ପାଖରେ କ୍ଲିନସୁଇପ୍ ସୁଯୋଗ

107

କନକ ବ୍ୟୁରୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଥିରୁବନନ୍ତପୁରମରେ ଖେଳାଯିବ । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅପରାଜେୟ ଅଗ୍ରଣୀ ଥିବା ଟିମ ଇଣ୍ଡିଆ କ୍ଲିନସୁଇପ୍ ଲକ୍ଷ୍ୟରେ ରହିଛି । ଆଜି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତନ ହେବାର ସମ୍ଭାବନା ରହିଛି । ଜବରଦସ୍ତ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ସୁଯୋଗ ମିଳିନଥିଲା । ସୂର୍ଯ୍ୟକୁମାର ବର୍ତମାନ ଟି-୨୦ର ଏକ ନମ୍ବର ବ୍ୟାଟର ଥିବା ବେଳେ ଈଶାନ୍ ବାଂଲାଦେଶ ବିପକ୍ଷ ନିଜର ଶେଷ ମ୍ୟାଚରେ ଦ୍ୱିଶତକ ମାରି ସମସ୍ତଙ୍କୁ ଚକିତ କରିଥିଲେ । ଏହାସତ୍ୱେ ଉଭୟଙ୍କୁ ବାହାରେ ବସିବାକୁ ପଡ଼ିଛି ।

ତେବେ ତୃତୀୟ ମ୍ୟାଚରେ ଦୁହିଁଙ୍କୁ ସୁଯୋଗ ମିଳିପାରେ । ଅର୍ଶଦୀପ ସିଂ ଓ ୱାସିଂଟନ୍ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା । ରୋହିତଙ୍କ ସହ ଶୁବମନ ଗିଲ୍ ଓପନ୍ କରିବେ । ପରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ରାହୁଲ ଆସିବେ । ଆଗକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଥିବାରୁ ରୋହିତ ସେନା ଦୃଢ଼ ମନୋବଳ ସହ ଯିବାକୁ ଆଶା ରଖିଛି । ସେପଟେ ଶ୍ରୀଲଙ୍କା ଟିମ୍ ସମ୍ମାନ ରକ୍ଷା ପାଇଁ ଖେଳିବ । ପ୍ରଥମ ଦୁଇଟି ମ୍ୟାଚରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ତେଣୁ କ୍ୟାପଟେନ୍ ଦସୁଦ୍ ଶନକା ବିଜୟ ସହ ଭାରତ ଗସ୍ତ ସାରିବାକୁ ଚାହିଁବେ ।