ଟପ୍ପରଙ୍କ କାହାଣୀ: ଚର୍ଚ୍ଚାରେ ଚୁଡି ଦୋକାନୀଙ୍କ ଝିଅ, ଟେକ ରଖିଲେ କାକଟପୁରର ଗାୟତ୍ରୀ ପାତ୍ର । କଟକରେ ବାପା ଡ୍ରାଇଭର, ପୁଅ ଟପ୍ପର ।

ଝାରସୁଗୁଡାରେ ମନ ଜିତିଲେ ସୁନା ଝିଅ ।

4,707

କନକ ବ୍ୟୁରୋ: ଅଭାବରେ ଥିବା ମଣିଷ ଅସୁବିଧାରେ ଥାଇପାରେ । କିନ୍ତୁ ସଫଳତା ପାଇଁ ଯଦି ନିଷ୍ଠା ଥିବ ତାହେଲେ ଅସୁବିଧା ବି ଆଗକୁ ବଢିବାକୁ ବାଟ ଛାଡିଦିଏ । ମାଟ୍ରିକ ଫଳାଫଳ ଆସିଲା ପରେ ଏଭଳି କିଛି ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । କଟକ ରେଭେନ୍ସା କଲିଜିଏଟ୍ ହାଇସ୍କୁଲର ଛାତ୍ର ଆଶୁତୋଷ ସାହୁଙ୍କ ସଫଳତା । ଦଶମ ବୋର୍ଡ ପରୀକ୍ଷାରେ ୫୫୨ ନମ୍ବର ରଖି ଏ-୧ ଗ୍ରେଡରେ ପାସ୍ ହୋଇଛନ୍ତି । ଆଶୁତୋଷ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଅନେକ ଆର୍ଥିକ ଅନଟକ ମଧ୍ୟରେ ଏହି ସଫଳତା ପାଇଛନ୍ତି । ବାପା ଅଶୋକ ସାହୁ ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର ହୋଇଥିବା ବେଳେ ମା’ ସୁକାନ୍ତି ସାହୁ ଜଣେ ଗୃହିଣୀ । ପରୀକ୍ଷା ପାଇଁ ଆଶୁତୋଷ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରିଥିବା କହିଛନ୍ତି । ଆଶୁତୋଷଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଆଶୁତୋଷଙ୍କ ଭଳି କାକଟପୁର କୁଣ୍ଡେଶ୍ୱର ଗାଁର ଗାୟତ୍ରୀ ପାତ୍ରଙ୍କ କାହାଣୀ ଆହୁରି ସଂଘର୍ଷପୂର୍ଣ୍ଣ । ବୋର୍ଡ ପରୀକ୍ଷାରେ ୫୫୫ ନମ୍ବର ରଖି ଏ-୧ ଗ୍ରେଡରେ ପାସ୍ ହୋଇଛନ୍ତି । ପିଲା ଦିନୁ ଆର୍ଥିକ ଅନଟନ ମଧ୍ୟରେ ବଢିଥିବା ଗାୟତ୍ରୀଙ୍କ ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ଗାୟତ୍ରୀଙ୍କ ବାପା ରତ୍ନାକର ସାହୁ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ କାକଟପୁରରେ ଏକ ଚୁଡି ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଗାୟତ୍ରୀ ବିନା କୋଚିଂରେ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ପାଇଁ ଆଶା ରଖିଛନ୍ତି ଗାୟତ୍ରୀ ।

ଝାରସୁଗୁଡା ଜିଲ୍ଲାରୁ ମଧ୍ୟ ସଂଘର୍ଷ ଓ ସଫଳତାର ଏକ ଭିନ୍ନ କାହାଣୀ ସାମ୍ନାକୁ ଆସିଛି । ଜଣେ ଫଳ ବ୍ୟବସାୟୀଙ୍କ ଝିଅ ଏ- ୱାନ ଗ୍ରେଡ୍ ହାସଲ କରିବା ସହ ପରିବାର ଲୋକଙ୍କ ଟେକ ରଖିଛନ୍ତି । ଝାରସୁଗୁଡା ବେଲପାହାଡ ଅଂଚଳର ଗିରିଧାରୀ ହାଇସ୍କୁଲର ଛାତ୍ରୀ ରୂପା ସା ଅଭାବନ ଅନଟନ ଭିତରେ ଥାଇ ସଫଳତା ହାସଲ କରିଛନ୍ତି । ଓମ୍ ପ୍ରକାଶ ସା ଏବଂ ପୂରନ୍ଦା ସାଙ୍କ ଝିଅ ରୂପା ସା ଦୈନିକ ୧୦ରୁ ୧୨ ଘଂଟା ପରିଶ୍ରମ କରୁଥିଲେ । ବାପା ଫଳ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ମା ଜଣେ ଗୃହିଣୀ ।