ସମ୍ମାନ ପାଇଁ ଚାଲିଛି ସମରସଜ୍ଜା । ୬ ଲୋକସଭା କ୍ଷେତ୍ରରେ ନେତାଙ୍କ ଭିଡ଼, ୫ ବିଧାନସଭାରେ ଚାଲିଛି ବଡ଼ ଲଢ଼େଇ

220

କନକ ବ୍ୟୁରୋ: ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ୬ ସଂସଦୀୟ କ୍ଷେତ୍ରର ହଟ୍ ସିଟ୍ ଉପରେ ଏବେ ସାରା ଓଡିଶାର ନଜର । କାରଣ ଏହି ଆସନ ଦଖଲ ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ସରିଥିବା ୧୦୫ ବିଧାନସଭା ଆସନର ନେତା ଏବେ ଏହି ଅଞ୍ଚଳରେ ଡେରା ପକାଇ ପ୍ରଚାର କରୁଛନ୍ତି । ହେବାକୁ ଥିବା ୪୨ ବିଧାନସଭା ଆସନ ମଧ୍ୟରେ ଏଭଳି କିଛି ଆସନ ଅଛି ଯାହା ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।

  • ଶେଷ ପର୍ଯ୍ୟାୟ ପାଇଁ କସରତ
  • ସମ୍ମାନ ପାଇଁ ସମରସଜ୍ଜା

ଏଥର ଚାନ୍ଦବାଲି ଆସନରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ଦୁଇ ଦୁଇ ଥରର ବିଧାୟକ ତଥା ବିଜେଡିି ଯୁବ ସଭାପତି ବ୍ୟୋମକେଶ ରାୟ । ଏଠାରେ ହାଇଭୋଲଟେଜ ଲଢେଇ ହେଉଛି । ଚାନ୍ଦବାଲି ଗଡ ସମ୍ଭାଳିବାକୁ ଅନେକ ବିଧାୟକଙ୍କୁ ମୈଦାନକୁ ଛାଡିଛି ବିଜେଡି । ଅନ୍ୟପଟେ ବିଜେପିର ଶୀର୍ଷ ନେତା ମଧ୍ୟ ମନମୋହନଙ୍କ ପାଇଁ ପ୍ରଚାର କରିବାକୁ ଅଣ୍ଟା ଭିଡିଛନ୍ତି । ତେବେ ପୂର୍ବରୁ କିନ୍ତୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଛନ୍ତି ମନମୋହନ ।

ଚାନ୍ଦବାଲିର ୨୦୧୯ ଗଣିତ

  • ବ୍ୟୋମକେଶ ରାୟ ପାଇଥିଲେ ୭୭,୩୧୩ ଭୋଟ
  • ମନମୋହନ ସାମଲଙ୍କୁ ମିଳିଥିଲା ୬୯,୨୩୩ ଭୋଟ
  • ୮ ହଜାରରୁ ଅଧିକ ଭୋଟରେ ଜିତିଥିଲେ ବ୍ୟୋମକେଶ

ବିଜେପିର ରାଜ୍ୟ ସଭାପତି ଅଛନ୍ତି ମନମୋହନ ସାମଲ । ତେଣୁ ଚର୍ଚ୍ଚା ହୁଏ, ବିଜେଡି ସହ ମେଣ୍ଟ ସପକ୍ଷରେ ନଥିଲେ ମନମୋହନ । ତେଣୁ ତାଙ୍କ ପାଇଁ ସମ୍ମାନ ପାଲଟିଛି ଚାନ୍ଦବାଲି ଆସନ ।
ସେହିପରି ଜଗତସିଂହପୁର ସଂସଦୀୟ କ୍ଷେତ୍ରର ନିମାପଡାରେ ହେଉଛି ଆର-ପାର ଲଢେଇ । ସମୀର ଦାସ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ସେଠାରେ ରାଜନୈତିକ ସମୀକରଣ ବଦଳିଯାଇଛି । ତେଣୁ ଏବେ ଏହି ଆସନ ବିଜେଡି-ବିଜେପି ପାଇଁ ସମ୍ମାନର ଆସନ ପାଲିଟିଛି । ନିଜ କବଜାକୁ ନେବା ପାଇଁ ବିଜେଡିର ମାଳ ମାଳ ନେତା ଡେରା ପକାଇଛନ୍ତି । ବିଜେପି ମଧ୍ୟ ପଛରେ ପଡ଼ିନାହିଁ ।

ନିମାପଡାରେ ବିଜେଡିର ଦିଲ୍ଲୀପ ନାୟକ ଓ ବିଜେପିର ପ୍ରଭାତୀ ପରିଡାଙ୍କ ମଧ୍ୟରେ ବିଗ୍ ଫାଇଟ୍ ହେଉଛି । ତେଣୁ ଉଭୟଙ୍କୁ ଚେକ୍ ଦେବାକୁ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଦମ ଦେଖାଉଛନ୍ତି ।

ନିମାପଡାର ୨୦୧୯ ଗଣିତ

  • ସମୀର ଦାଶ ପାଇଥିଲେ ୯୧,୧୬୦ ଭୋଟ
  • ପ୍ରଭାତୀ ପରିଡ଼ାଙ୍କୁ ମିଳିଥିଲା ୫୯,୧୫୨ ଗୋଟ
  • ୩୨ ହଜାରରୁ ଅଧିକ ଭୋଟରେ ଜିତିଥିଲେ ସମୀର

ନିମାପଡ଼ାରେ ସମୀର ଦାଶଙ୍କ ପକେଟ ଭୋଟ ରହିଛି । ତାଙ୍କ ଟିକେଟ କଟିଯିବା ପରେ ହଜାର ହଜାର ସମର୍ଥକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ଏବେ ସେହି ଭୋଟ ପ୍ରଭାତୀ ପରିଡ଼ାଙ୍କ ସପକ୍ଷରେ ଗଲେ ବିଜେଡିର ଅଙ୍କ ବିଗିଡ଼ିଯିବା ଆଶଙ୍କା ରହିଛି । ସେପଟେ ଆଉ ଏକ ଆସନ ହେଉଛି ବଡ଼ଚଣା । ସେଠାରେ ହେଭିୱେଟ ଅମର ଶତପଥୀଙ୍କ ଟିକେଟ କାଟି ଓଲିଉଡ୍ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ବଡ ଲଢେଇର ସାମ୍ନା କରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ । କାରଣ ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ହାରିଥିଲେ ବର୍ତ୍ତର୍ମାନର ବିଜେପି ପ୍ରାର୍ଥୀ ଅମର ନାୟକ ।

ସେହିପରି ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ାରେ ରାଜନୈତିକ ଚିତ୍ର ବଦଳିଛି । କଂଗ୍ରେସ ଛାଡି ବିଜେଡିରେ ଟିକେଟରେ ଲଢୁଛନ୍ତି ଗଣେଶ୍ୱର ବେହେରା । ଆଉ ବିଜେଡି ଛାଡି କଂଗ୍ରେସ ଟିକେଟରେ ଲଢୁଛନ୍ତି ସିପ୍ରା ମଲ୍ଲିକ । ଅନ୍ୟପଟେ ଗୀତାଞ୍ଜଳି ସେଠୀଙ୍କୁ ବିଜେପିରୁ ଲଢୁଛନ୍ତି । ସେପଟେ ନୀଳଗିରିରେ ବିଜେଡି ପ୍ରାର୍ଥୀ ସୁକାନ୍ତ ନାୟକ ଓ ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ଜୋରଦାର ଟକ୍କର ହେଉଛି ।