ଆସିଲା ଏଡିଆର୍ ରିପୋର୍ଟ । ୩୧୩ କୋଟି ଟଙ୍କାର ସମ୍ପତ୍ତି ସହ ରାଜ୍ୟର ୧ ନମ୍ବର ଧନୀ ପ୍ରାର୍ଥୀ ଦିଲ୍ଲୀପ ରାୟ । ଦ୍ୱିତୀୟରେ ସନା ମହାକୁଡ଼, ତୃତୀୟରେ ସୁବାସିନୀ ଜେନା

366

କନକ ବ୍ୟୁରୋ: ପାଖରେ ଟଙ୍କା ନଥିଲେ ଏବେ ବ୍ୟୟବହୁଳ ନିର୍ବାଚନ ଲଢିବା ସମ୍ଭବପର ନୁହଁ । କାରଣ ନିର୍ବାଚନ ସମୟରେ ଉଡେ ପୁଳା ପୁଳା ଟଙ୍କା । ଆଉ ଏହି ଟଙ୍କା ଉଡାନ୍ତି କୋଟିପତି ନେତା । ଚଳିତ ସାଧାରଣ ନିର୍ବାଚନରେ କୋଟିପତି ନେତାଙ୍କ ଲମ୍ବା ତାଲିକା ସାମ୍ନାକୁ ଆସିଛି । ୪୧୨ ଜଣ କୋଟିପତି ଏଥର ବିଧାୟକ ହେବା ପାଇଁ ମନ ବଳାଇଛନ୍ତି ।

  • ବିଧାନସଭା ଉପରେ କୋଟିପତି ନେତାଙ୍କ ଆଖି
  • ବିଧାୟକ ବନିବାକୁ ମୈଦାନରେ ୪୧୨ କୋଟିପତି

ଏଡିଆର୍ ରିପୋର୍ଟ ଅନୁସାରେ…

  • ଧନୀ ତାଲିକାରେ ୧ ନମ୍ବର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ
  • ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ୩୧୩ କୋଟି ଟଙ୍କାର ମାଲିକ ହେଉଛନ୍ତି ଦିଲ୍ଲୀପ
  • ତାଲିକାରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ୨ ନମ୍ବର ସ୍ଥାନରେ ଅଛନ୍ତି
  • ସନାତନ ମହାକୁଡ ୨୨୭ କୋଟି ଟଙ୍କାର ମାଲିକ
  • ସେହିଭଳି ତୃତୀୟ ସ୍ଥାନରେ ରହିଛନ୍ତି ସୁବାସିନୀ ଜେନା
  • ସେ ୧୩୫ କୋଟି ଟଙ୍କାର ମାଲିକ

ନେତାମାନେ ଥରେ ବିଧାୟକ ହେଲେ ତାଙ୍କ ସମ୍ପତି କିଭଳି ବଢିଚାଲେ ତାହା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ପ୍ରାର୍ଥୀପତ୍ର ଦାଖଲ ସମୟରେ ନେତାମାନେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡିଛି । କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ୨୦୧୯ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ସେତେବେଳେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ଟଙ୍କା ହେଲେ, ୫ ବର୍ଷରେ ତାହା ୨୩ ଗୁଣା ବଢି ହୋଇଯାଇଛି ୪ କୋଟି ଟଙ୍କା ହୋଇଛି ।

ସେହିପରି ରାଉରକେଲା ବିଧାୟକ ସାରଦା ନାୟକ ବି ନିଜ ସମ୍ପତି ବଢାଇବା ନେତାଙ୍କ ତାଲିକାରେ ୨ୟ ନମ୍ବରରେ ଅଛନ୍ତି । ୨୦୧୯ରେ ସାରଦାଙ୍କ ପାଖରେ ଥିଲା ୧୩ ଲକ୍ଷ ୩୦ ହଜାର ଟଙ୍କାର ସମ୍ପତ୍ତି । ହେଲେ ୫ ବର୍ଷରେ ତାଙ୍କ ସମ୍ପତ୍ତି ଏବେ ୧ କୋଟି ୭ ଲକ୍ଷ ଟଙ୍କା ହେଇଯାଇଛି । ତେଣୁ ବିଧାୟକମାନଙ୍କ ସମ୍ପତି କିଭଳି ଏତେ ପରିମାଣରେ ବଢିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ସୂଚନାଯୋଗ୍ୟ ଯେ, କୋଟିପତି ନେତାଙ୍କ ଏହି ଭିଡ ଭିତରେ ନିଜର ଭାଗ୍ୟ ପରୀକ୍ଷା ପାଇଁ କିଛି ଏଭଳି ନେତା ବି ସାମିଲ ହୋଇଛନ୍ତି ଯେଉଁମାନଙ୍କ ଆକାଉଣ୍ଟରେ ଟଙ୍କାଟିଏ ବି ନାହିଁ ।