‘ମରିଯିବୁ ପଛେ, ମାଟି ଛାଡ଼ିବୁନି’… ନାଲକୋକୁ ସେରୁବନ୍ଧ ପାହାଡ ନଦେବାକୁ ନାରାଜ ଲୋକେ । ପ୍ରବଳ ବିରୋଧ ଭିତରେ ସରିଗଲା ଜନ ଶୁଣାଣି

462

କନକ ବ୍ୟୁରୋ: ବିରୋଧ, ବିରୋଧରେ ସରିଗଲା ଜନ ଶୁଣାଣି । ଖଣି ପାଇଁ ପାହାଡ ଛାଡିବାକୁ ନାରାଜ୍ ଗ୍ରାମବାସୀ । କମ୍ପାନୀ ପ୍ରତିଶ୍ରୁତିକୁ ବିଶ୍ୱାସ କଲେ ନାହିଁ ଖଣି ପାଇଁ ପ୍ରଭାବିତ ହେବାକୁ ଥିବା ଅଂଚଳବାସୀ । ସେରୁବନ୍ଧ ବକ୍ସାଇଟ ଖଣି ନାଲକୋ ଦାମନଯୋଡ଼ିକୁ ହସ୍ତାନ୍ତର ପାଇଁ କୋରାପୁଟ ପଟାଙ୍ଗୀର ମିନି ଷ୍ଟାଡ଼ିୟମରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ୬ଟି ପଚାଂୟତର ୨ ହଜାର ଗ୍ରାମବାସୀ । ପଟାଙ୍ଗୀ ବ୍ଲକ ୪ଟି ପଂଚାୟତ କୋଟିଆ, ନୂଆଗାଁ, ପଟାଙ୍ଗୀ, ମାଳିପୁଟ ଓ ଶିମିଳିଗୁଡ଼ାର ୨ଟି ପଚାଂୟତ ସୋରିଷପଦର ଓ ଖୁଡ଼ି ଅଂଚଳର ଗ୍ରାମବାସୀ ଏହି ଜନ ଶୁଣାଣିକୁ ବିରୋଧ କରିଛନ୍ତି ।

ତେବେ ପୂର୍ବରୁ ନାଲକୋର ଖଣି ଖନନ ଦ୍ୱାରା ପରିବେଶ ଓ ଜଙ୍ଗଲ ନଷ୍ଟ ହେବା ସହ ଆଦିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ତେଣୁ ସେରୁବନ୍ଧ ପାହାଡକୁ ଖଣି ଖନନ ପାଇଁ ଦିଆଯିବ ନାହିଁ ବୋଲି ଅଡି ବସିଛି ସେରୁବନ୍ଧ ସୁରକ୍ଷା ସମିତି । ଅଂଚଳବାସୀଙ୍କ ଇଛା ଅନୁସାରେ କାମ ହେବ ବୋଲି କହିଛନ୍ତି ସ୍ଥାନୀୟ ସାଂସଦ ।

୨୦୧୬ ମସିହାରେ ରାଜ୍ୟ ସରକାର ନାଲକୋ ଦାମନଯୋଡ଼ିକୁ ସେରୁବନ୍ଧ ଖଣି ଲିଜ ସୁତ୍ରରେ ଦେଇଛନ୍ତି । ପରିବେଶ ମଞ୍ଜୁରୀ ନମିଳିବା ଯାଏଁ ଖଣି ଖନନ ହୋଇପାରିବ ନାହିଁ । ତେଣୁ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ପଟାଙ୍ଗୀରେ ଏକ ଜନ ଶୁଣାଣି କରିଥିଲା । ଏହି ଜନ ଶୁଣାଣିର ସମସ୍ତ ତଥ୍ୟକୁ ପରିବେଶ ମନ୍ତ୍ରଳାୟକୁ ପଠାଯିବ ବୋଲି ଜିଲ୍ଲା ପ୍ରଶାସନ କହୁଥିବା ବେଳେ ସବୁ କିଛି ସକରାତ୍ମକ ଅଛି କହିଛନ୍ତି ନାଲକୋ ଦାମନଯୋଡ଼ିର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ।

ତେବେ ଲୋକଙ୍କ ପ୍ରବଳ ବିରୋଧ ସତ୍ତେ୍ୱ ନାଲକୋ ସେରୁବନ୍ଧକୁ ନେଇ ଆଶାବାଦୀ ଅଛି । ଆଉ ଆଗକୁ ନାଲକୋ ସ୍ଥାନୀୟ ଲୋକଙ୍କୁ କିଭଳି ପ୍ରଭାବିତ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।