୨୦୦୮ ଜୟପୁର ସିରିଜ ବୋମା ବିସ୍ଫୋରଣ ଘଟଣା । ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ସ୍ୱତନ୍ତ୍ର କୋର୍ଟ, ସିରିଜ ବୋମା ବିସ୍ଫୋରଣରେ ୭୧ ଲୋକଙ୍କର ଯାଇଥିଲା ଜୀବନ ।

218

୨୦୦୮ ଜୟପୁର ସିରିଜ ବୋମା ବିସ୍ଫୋରଣ ଘଟଣାରେ ଆସିଲା ରାୟ । ୧୧ ବର୍ଷ ପରେ ଆସିଥିବା ରାୟରେ ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ- ମହମ୍ମଦ ଶାହବାଜ୍‌ ହୁସେନ୍‌, ମହମ୍ମଦ ସୈଫ୍‌ ଓରଫ୍‌ କ୍ୟାରେଓନ୍‌, ମହମ୍ମଦ ସରଓ୍ଵାର୍‌ ଆଜମି, ମହମ୍ମଦ ସୈଫ୍‌ ଓରଫ ସୈଫୁରରହମନ ଅନସାରି ଏବଂ ମହମ୍ମଦ ସଲମନ। ସେହିଭଳି ଅନ୍ୟ ୩ ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କରାଯାଇ ପାରିନାହିଁ ।

୨୦୦୮ ମେ ୧୩ରେ ଜୟପୁରରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା । ଯେଉଁ ଘଟଣାରେ ୭୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୬ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ଏହି ଘଟଣାରେ ୧୧ ଜଣ ଆତଙ୍କବାଦୀ ସାମିଲ ଥିବା ନେଇ ଏଟିଏସ ସ୍ପଷ୍ଟ କରିଥିଲା । ମନକ ଚୌକ ଏବଂ କୋତଓ୍ଵାଲି ଥାନାରେ ଏହି ବିସ୍ଫୋରଣ ସଂକ୍ରାନ୍ତରେ ସମୁଦାୟ ଆଠଟି ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ତଦନ୍ତ କରୁଥିବା ରାଜସ୍ଥାନ ଏଟିଏସ୍‌ ପାଞ୍ଚଜଣ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା।

୨୦୦୮ ମେ ମାସରେ ଜୟପୁରର ଜନବହୁଳ ବଜାର ଅଞ୍ଚଳ ଓ ଗୋଟାଏ ହନୁମାନ ମନ୍ଦିର ନିକଟରେ ୧୫ ମିନିଟ୍‌ରେ ଆତଙ୍କବାଦୀମାନେ ୯ଟି ବିସ୍ଫୋରଣ ଘଟାଇଥିଲେ। ଏଥିରେ ୭୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ବାଂଲାଦେଶର ଆତଙ୍କବାଦୀ ସଙ୍ଗଠନ ହରକୁତ୍‌-ଉଲ୍‌-ଜେହାଦୀ ଇସଲାମି ଏହି ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଥିଲା।