ଟିକା ନେବା ପରେ ଜ୍ୱର ଆସି ଲୋକେ ଅସୁସ୍ଥ ହୋଇପଡୁଥିବା ଗୁଜବ ପ୍ରଚାର । ଭୟରେ ଟିକାକରଣ କେନ୍ଦ୍ରକୁ ଆସୁନାହାନ୍ତି ଉମରକୋଟର ଆଦିବାସୀ ଲୋକେ

220

କନକ ବ୍ୟୁରୋ : ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ କରୋନା ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ହେଲେ ଉପାନ୍ତରେ ମୃତ୍ୟୁର ଗୁଜବ କରୋନା ଟୀକାକରଣରେ ବାଧକ ସାଜିଛି । କରୋନାର ଦ୍ୱିତୀୟ ଲହର ନବରଙ୍ଗପୁର ଜିଲ୍ଲାକୁ ଦୋହଲାଇ ଦେଇଥିବା ବେଳେ ବର୍ତର୍ମାନ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି । ପ୍ରଶାସନ ଟୀକାକରଣକୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକାରୀ କରୁଛନ୍ତି । ହେଲେ ଆଦିବାସୀ ଗାଁରେ କରୋନାର ଚେନ୍ ବ୍ରେକ କରିବା ପ୍ରଶାସନ ପାଇଁ ଯେତିକି ଚ୍ୟାଲେଂଜ ଥିଲା, ଏବେ ଟିକାକରଣ ତ୍ୱାରାନ୍ୱିତ କରିବା ତା’ଠାରୁ ଅଧିକ ଚ୍ୟାଲେଂଜ ହୋଇଛି । କାରଣ କରୋନା ଟୀକାକୁ ନେଇ ଲୋକଙ୍କ ଭିତରେ ଭୟ ରହିଛି ।

କରୋନା ଟୀକା ନେଲେ ପ୍ରବଳ ଜ୍ୱର ହେଉଛି । ଏଭଳି ଏକ ଗୁଜବ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବଡ଼ବାସିନି ଗାଁରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଗ୍ରାମାଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଥିବା ବେଳେ ସେମାନଙ୍କୁ ବୁଝାଇ, ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପ୍ରକାର ବ୍ୟବସ୍ଥା କରାଯାଉଛି । ଜିଲ୍ଲାରେ ମାସେ ହେବ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ୧୫ଦିନ ହେଲା ଉମରକୋଟ ବ୍ଲକରେ ଟୀକା ଦିଆଯାଉଛି । ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଛି । ଏବେ ସୁଦ୍ଧା ବ୍ଲକରେ ମାତ୍ର ୩୫ ରୁୁ ୪୦ ପ୍ରତିଶତ ଲୋକ ଟିକା ନେଇଛନ୍ତି ।