ଅଡୁଆରେ ପୂର୍ବତନ ମନ୍ତ୍ରୀ ଶଶୀ ବେହେରା । ବୋହୂକୁ ଯୌତୁକ ମାଗୁଛନ୍ତି ବିଧାୟକଙ୍କ ପରିବାର । ଥାନାରେ ଅଭିଯୋଗ କଲେ ବିଧାୟକଙ୍କ ବୋହୂ ।

195

କନକ ବ୍ୟୁରୋ: ବୋହୁକୁ ଯୌତୁକ ମାଗୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶଶୀ ଭୂଷଣ ବେହେରା । ଏଭଳି ଅଭିଯୋଗ ଆଣିଛନ୍ତି ଶଶୀଭୂଷଣ ବେହେରାଙ୍କ ବୋହୁ ରୋନାଲି । ଏପରିକି ବାଙ୍କୀ ଥାନାରେ ନିଜର ସ୍ୱାମୀ, ଶାଶୁ, ନଣନ୍ଦ ଓ ମାଉସୀ ଶାଶୁଙ୍କ ନାଁରେ ଏତଲା ଦେଇଛନ୍ତି । ସେପଟେ ବୋହୂ ରୋନାଲିଙ୍କ ଅଭିଯୋଗକୁ ନେଇ ବିଧାୟକ ଶଶୀଭୂଷଣ ବେହେରା, କହିଛନ୍ତି ବୁଝାମଣା ପାଇଁ ଉଦ୍ୟମ ଚାଲିଛି ।

  • ଅଡୁଆରେ ପୂର୍ବତନ ମନ୍ତ୍ରୀ ଶଶୀ ବେହେରା
  • ବୋହୂକୁ ଯୌତୁକ ମାଗୁଛନ୍ତି ବିଧାୟକଙ୍କ ପରିବାର

କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ପରିବାର ନାଁରେ ଆସିଛି ବଧୂ ନିର୍ଯାତନା ଅଭିଯୋଗ । ବୋହୂ ରୋନାଲି ଏଭଳି ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ରୋନାଲି ହେଉଛନ୍ତି ଶଶୀଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ । ବାଙ୍କୀ ଥାନାରେ ନିଜର ସ୍ୱାମୀ, ଶାଶୁ . ନଣନ୍ଦ ଓ ମାଉସୀ ଶାଶୁଙ୍କ ନାଁରେ ସେ ଏତଲା ଦେଇଛନ୍ତି ।

ଏତଲାରେ ସେ ଅଭିଯୋଗ କରିଛନ୍ତି , ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି । ଗାଳିଗୁଲଜ କରିବା ସହ ମାରପିଟ କରିଛନ୍ତି । ଖାଇବାରେ ଅସୁବିଧା କରିଛନ୍ତି । ରୋଷେଇ ଘରକୁ ଛାଡିନାହାନ୍ତି । ସ୍ୱାମୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଛନ୍ତି । ଏପରିକି ସ୍ୱାମୀ ୪୦ ଲକ୍ଷ ଆଣ ନ ହେଲେ ଚାକରାଣୀ ହୋଇ ରୁହ ବୋଲି କହିଥିବା ଏଫଆଇଆରରେ ଲେଖାଯାଇଛି । ମାର୍ଚ ୩ ତାରିଖରେ ଏହି ଏଫଆଇଆର ହୋଇଛି । କିନ୍ତୁ ଆପୋଷ ବୁଝାମଣା ନ ହେବାରୁ ରୋନାଲି ଓ ତାଙ୍କ ବାପଘର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ।

  • ସ୍ୱାମୀଙ୍କ ବିରୋଧରେ ରୋନାଲିଙ୍କ ସାଂଘାତିକ ଅଭିଯୋଗ
  • ‘ଅନ୍ୟ ମହିଳାଙ୍କ ସହ ରହିଛି ଅନୈତିକ ସମ୍ପର୍କ’

କେବଳ ନିର୍ଯାତନା ନୁହେଁ ସ୍ୱାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ରୋନାଲି । ଏଫଆଇଆରରେ କହିଛନ୍ତି. ତାଙ୍କ ସ୍ୱାମୀ ଅନ୍ୟ ଝିଅଙ୍କ ସହ ଫୋନରେ କଥା ହୁଅନ୍ତି । ୟାଙ୍କୁ ସଫା କରି ତୁମକୁ ବାହା ହେବି ବୋଲି ସେହି ଝିଅକୁ କହିନ୍ତି । ଏଭଳି ବାରମ୍ବାର ହେବା ପରେ ଜୀବନ ପ୍ରତି ବିପଦ ଥିବା ଦେଖି ୩୦.୦୭.୨୦୨୧ରେ ସୋନାଲି ବାପା ଘରକୁ ଚାଲିଆସିଥିଲେ । ପରେ ରୋନାଲିଙ୍କ ବାପା ଏ ନେଇ ଶଶୀଭୂଷଣକୁ ବାରମ୍ବାର ଯୋଗାଯୋଗ କରିଥିଲେ ବି ସେ ଶୁଣିନଥିଲେ ।

ବୋହୂ ରୋନାଲିଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶଶୀ ଭୂଷଣ ବେହେରା । କହିଛନ୍ତି ବୁଝାମଣା ପାଇଁ ଉଦ୍ୟମ ଚାଲିଛି । ଯୌତୁକ ଅଭିଯୋଗରେ କିଛି ପ୍ରାସଙ୍ଗିକତା ନାହିଁ । ବାହାଘର ସମୟରେ କିଛି ଉପହାର ଅଣାଯାଇନଥିବା କହିଛନ୍ତି ଶଶୀ ଭୂଷଣ ବେହେରା । ମନ୍ତ୍ରୀମଣ୍ଡଳ ଓ ଅନ୍ୟାନ୍ୟ ପ୍ରସଙ୍ଗ ଏବେ ଚର୍ଚ୍ଚାରେ ଥିବାରୁ ବିରୋଧୀଙ୍କ ଏହା ଏକ ପ୍ରୟାସ । ଏପରିକି ବୋହୂ ଶାଶୁ ଘରେ ଅଧିକ ସମୟ ରହୁନଥିବା କଥା କହିଛନ୍ତି ଶଶୀ ଭୂଷଣ । ରୋନାଲ ିଓ ସତ୍ୟପ୍ରକାଶଙ୍କ ବାହାଘର ୨୦୨୧ ମସିହାରେ ହୋଇଥିଲା । ଆଉ ଏବେ ବିବାଦ ଉଠିବା ପରେ ବଡ ଘର ବଜ ଗୁମର କଥା ପଦାକୁ ଆସିଛି ।