ଚାମ୍ପିୟନ କେକେଆର ଉପରେ ହେଲା ଟଙ୍କା ବର୍ଷା । ଜାଣନ୍ତୁ ବିଜୟୀ ଟିମ୍ ଭାବେ ମିଳିଲା କେତେ କୋଟି ଟଙ୍କା?

1,987

କନକ ବ୍ୟୁରୋ : ସରିଛି ଆଇପିଏଲ, ଚାମ୍ପିୟନ ହୋଇଛି କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ମାତ୍ ଦେଇ ତୃତୀୟ ଥର ପାଇଁ ଟାଇଟଲ ଉଠାଇଛି କେକେଆର । ୧୧୪ ରନର ଟାର୍ଗେଟକୁ ମାତ୍ର ୧୧ ଓଭର ମଧ୍ୟରେ ହାସଲ କରିଥିଲା ଶ୍ରେୟସ ବାହିନୀ । ତେବେ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ କେକେଆର ଓ ଏହାର ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା ହୋଇଛି ।

ଚାମ୍ପିୟନ ଭାବେ କୋଲକାତା ନାଇଟ ରାଇଡର୍ସକୁ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି । ସେହିଭଳି ରନର୍ସ ଅପ୍ ସନରାଇଜର୍ସ ହାଇଦ୍ରାବାଦକୁ ୧୨.୫୦ କୋଟି ଟଙ୍କା ମିଳିଛି । ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସକୁ ୭ କୋଟି ଓ ୪ ନମ୍ବରରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬.୫ କୋଟି ଟଙ୍କା ମିଳିଛି । କେବଳ ଟିମ୍ ଉପରେ ଯେ ଟଙ୍କା ବର୍ଷା ହୋଇଛି ତାହା ନୁହେଁ ବରଂ ଖେଳାଳୀଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହୋଇଛି ।

ସର୍ବାଧିକ ରନ୍ କରିଥିବା ବିରାଟ କୋହଲିଙ୍କୁ ୧୦ ଲକ୍ଷ, ସର୍ବାଧିକ ୱିକେଟ ନେଇଥିବା ହର୍ଷଲ ପଟେଲଙ୍କୁ ୧୦ ଲକ୍ଷ ମିଳିଥିବା ବେଳେ ମୋଷ୍ଟ ଭାଲ୍ୟୁଏବେଲ ପ୍ଲେୟାର, ଫ୍ୟାନଟାସି ପ୍ଲେୟାର ଅଫ୍ ଦ ସିଜନ ଭାବେ ସୁନୀଲ ନାରାୟଣ ୧୦ ଲକ୍ଷ ଲେଖାଏଁ ଟଙ୍କା ହାତେଇଛନ୍ତି । ଇମର୍ଜିଂ ପ୍ଲେୟାରର ଟାଇଟଲ ନୀତିଶ କୁମାର ରେଡ୍ଡୀ ଜିତିଥିବା ବେଳେ ଇଲେକ୍ଟ୍ରିକ ଷ୍ଟ୍ରାଇକର ଅଫ୍ ଦ ସିଜିନ ଭାବେ ଜେକ୍ ଫ୍ରେଜର ମ୍ୟାକଗର୍କ ଏହି ଟାଇଟଲ ଜିତିଛନ୍ତି । ଅଭିଷେକ ଶର୍ମା ସର୍ବାଧିକ ଛକା ମାରିଥିବା ବେଳେ ଟ୍ରାଭିସ ହେଡ ସର୍ବାଧିକ ଚୌକା ମାରି ୧୦ ଲକ୍ଷ ଲେଖାଏଁ ଜିତିଛନ୍ତି । କ୍ୟାଚ୍ ଅଫ୍ ଦ ସିଜିନ ଆୱାର୍ଡ ହାତେଇଛନ୍ତି ରମନଦୀପ ସିଂ ।