ବଡଚଣାରୁ ଧର୍ମେନ୍ଦ୍ରଙ୍କ ରଣହୁଙ୍କାର । କହିଲେ, ଏଥର ଓଡ଼ିଶାରେ ବିଜେପି ସରକାର ।

343

କନକ ବ୍ୟୁରୋ : ବଡଚଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସଭା । ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଅମର ଶତପଥୀଙ୍କ ସହ ଧୋକା କରିଛି ବିଜେଡି । ଏହାସହ ବଡଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି । ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାଙ୍କ ପ୍ରଧାନମନ୍ତ୍ରୀ କିଏ ହେବ? ଗୁମାସ୍ତା ଓ କ୍ରୀତଦାସ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିବା ସହ କହିଛନ୍ତି, ଏମାନଙ୍କର ସ୍ଥାନ ଜେଲରେ । ଓଡ଼ିଶାକୁ ନିଜ ଜାଗିର ବୋଲି ଭାବୁଛନ୍ତି ।

ବଡଚଣାରେ ଜଳସେଚନ, ପାନୀୟ ଜଳ , ଶିକ୍ଷା, ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ୩୨୦ଟି ଡାକ୍ତରୀ ପଦବୀ ୧୪୦ ପଦବୀ ଫାଙ୍କା । ବିଏସକେୱାଇ ନାଁରେ ଘରୋଇ ହସ୍ପିଟାଲ ସହ ମିଶି ଟଙ୍କା ଲୁଟ୍ କରୁଛନ୍ତି । ବିଭିନ୍ନ ସରକାରୀ ବିଭାଗରେ ପଦବୀ ଫାଙ୍କା ପଡିଛି । ଯାଜପୁର ଜିଲ୍ଲାର ୧୪ଟି ଗ୍ରାମ ପଞ୍ଚାୟତରେ ସ୍କୁଲ ନାହିଁ । ୫୦ ଭାଗ ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି । ୨୪ ବର୍ଷ ଶାସନର ଏହା ହେଉଛି ଉପଲବ୍ଧି । ନଗଡା, ଅପପୁଷ୍ଟି ଓ ଅନାହାର ଏହିଠାରେ ହିଁ ଅଛି । ଯାଜପୁରର ଯୁବବର୍ଗ ଦାଦନ ଖଟିବାକୁ ଯାଉଛନ୍ତି । ଏହା ହିଁ ୨୪ ବର୍ଷ ସରକାରର ପାରିବା ପଣିଆ । ଏଠାରେ ନେତାଙ୍କୁ ଭଡାରେ ଅଣାଯାଉଛି । ଓଡ଼ିଶାର ନେତା ଓଡ଼ିଆ ହେବେ, ବାହାର ଲୋକ ନୁହେଁ । ଆସନ୍ତା ୧୦ ତାରିଖରେ ଜଣେ ଓଡ଼ିଆ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।