ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ ।

140

କନକ ବ୍ୟୁରୋ : ଭଦ୍ରକ ଚାନ୍ଦବାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଚାର । ବିଶାଳ ଜନସଭାକୁ ସମ୍ବୋଧିତ କରି ଅମିତ ଶାହା ଓଡ଼ିଶାରେ ସରକାର ଗଢିବା ସହ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ଶାହା କହିଛନ୍ତି, ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ବିଜେପି ୩୧୦ ଆସନ ଜିତିସାରିଲେଣି । ୬ଷ୍ଠ ଓ ୭ମ ପର୍ଯ୍ୟାୟରେ ଏହି ଆସନ ସଂଖ୍ୟା ୪୦୦ ଟପିବ । ଓଡ଼ିଶାରେ ୭୫ରୁ ଅଧିକ ବିଧାନସଭା ଆସନ ଜିତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବ ବିଜେପି । ୪ ଜୁନରେ ନବୀନ ପଟ୍ଟନାୟକ ପୂର୍ବ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହୁଥିବେ, ଯୁବକ ଥିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହୋଇଥିବେ । ୨୫ ବର୍ଷ ପରେ ଓଡ଼ିଆ ଲେଖୁଥିବା ଓ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ପାଇବ ଓଡ଼ିଶା ।
ଓଡ଼ିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲାଇବା ଉଚିତ ନା ତାମିଲ ବାବୁ ଚଲାଇବା ଉଚିତ । ଏହି ନିର୍ବାଚନ ଓଡ଼ିଆ ଅସ୍ମିତାର ନିର୍ବାଚନ । ଓଡ଼ିଆ ଭାଷା, ସାହିତ୍ୟ, କଳା, ସ୍ୱାଭିମାନର ନିର୍ବାଚନ । ପରଦା ପଛରେ ରହି କେହି ତାମିଲ ବାବୁ ଓଡ଼ିଶାର ଶାସନ ଚଲାଇବାକୁ ଗ୍ରହଣ କରିବା ଉଚିତ୍ କି? ପଦ୍ମ ଫୁଲରେ ମୋହର ମାରିଲେ ଏଠାକାର ଜନସେବକ ଓଡ଼ିଶାର ଶାସନ କରିବ । ଓଡ଼ିଶା ଦେଶର ସବୁଠୁ ସମୃଦ୍ଧ ରାଜ୍ୟ । ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସମୃଦ୍ଧ ଓଡ଼ିଶାର ଲୋକ ଗରିବ । ଏଥିପାଇଁ କେବଳ ଆଉ କେବଳ ନବୀନ ପଟ୍ଟନାୟକ ହିଁ ଦାୟୀ । ଓଡ଼ିଶାର ଯୁବବର୍ଗ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ବିଜେପି ସରକାରରେ ଓଡ଼ିଶାର ଯୁବବର୍ଗ ଓଡ଼ିଶାରେ ହିଁ କାମ କରିବେ ।

ଅଯୋଧ୍ୟାରେ ୫୦୦ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ହେଲା । ପୂରା ଦେଶ ଓ ବିଶ୍ୱ ରାମ ଉତ୍ସବରେ ନିମଗ୍ନ ଥିଲେ । କିନ୍ତୁ ତାମିଲ ବାବୁ ଓଡ଼ିଶାର ଲୋକଙ୍କୁ ଏହି ଉତ୍ସବରୁ ଦୂରେଇ ରଖିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଚାଲିବା ଉଚିତ୍ । ନବୀନ ପଟ୍ଟନାୟକ କୁହନ୍ତୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କୁଆଡେ ଗଲା? ଡୁପ୍ଲିକେଟ ଚାବି କାହିଁକି ହେଲା? ଯାଞ୍ଚ ରିପୋର୍ଟ କାହିଁକି ସାବର୍ଜନୀନ କରାଗଲାଣି । କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ବିଜେଡି? ଏହାର ଉତ୍ତର ଦିଅନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାର ହେଲେ ଗୋଟିଏ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବୁ ।

କଂଗ୍ରେସ ଦଳ କହୁଛି ପିଓକେ ମାଗ ନାହିଁ, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । କିନ୍ତୁ କଂଗ୍ରେସ ଜାଣିରଖୁ, ବିଜେପି ପାକିସ୍ତାନର ପରମାଣୁ ବୋମାକୁ ଭୟ କରେ ନାହିଁ । ପିଓକେ ଭାରତର ଥିଲା ଓ ରହିବ, ଏହାକୁ ଆମେ ନିଶ୍ଚୟ ଫେରାଇ ଆଣିବୁ । ଏହା ବିଜେପିର ପ୍ରତିଶ୍ରୁତି । ମୋଦୀ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଦେଉଛି । କିନ୍ତୁ ନବୀନଙ୍କ ସରକାର ହେଉଛି ବ୍ୟାଗ ସରକାର । ମୋଦୀ ଚାଉଳ ପଠାଇଲେ, ନବୀନ ଖାଲି ବ୍ୟାଗରେ ନିଜ ଷ୍ଟିକର ମାରି ଚାଉଳ ଦେଉଛି ବୋଲି ପ୍ରଚାର କରୁଛି । ଏହି ବ୍ୟାଗ ଦେବା ବଦଳରେ ନବୀନ ଚାଉଳ ଦେଲେ ଗରିବ ଲୋକ ଉପକୃତ ହେବେ । ଓଡ଼ିଶାର ସାଢେ ୩ ପ୍ରତିଶତ ଘରକୁ ପାଇପ ଯୋଗେ ପାନୀୟ ଜଳ ମିଳିଛି । ବିଜେପି ସରକାର ଆସିଲେ ସମସ୍ତଙ୍କ ଘରକୁ ପାଇପ ଯୋଗେ ପାଣି ଆସିବ । ବିଜେପି ପ୍ରାର୍ଥୀ ବିଜୟୀ ହେଲେ ଭଦ୍ରକରେ ମେଡିକାଲ କଲେଜ ହେବ । ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବୁ । ଟେକ୍ସଟାଇଲ ପାର୍କ ଗୋଟିଏ ବର୍ଷ ମଧ୍ୟରେ କରିବୁ । ଓଡ଼ିଶାରେ ଅନୁପ୍ରବେଶକାରୀ ପ୍ରବେଶ କରି ସାରିଲେଣି । ବିଜେପି ସରକାର କରନ୍ତୁ ଓଡ଼ିଶାରେ ଅନୁପ୍ରବେଶକାରୀ ପଶିପାରିବେନି । ୧୮ ମାସରେ ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ ପଠାଇବୁ ଏବଂ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବୁ । ଏହାସହ ବିଜେପି ଇସ୍ତାହାରରେ ଘୋଷଣା କରିଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରା କରିବୁ ବୋଲି କହିଛନ୍ତି ଅମିତ ଶାହା । ମୋଦୀ ସରକାର ପଢାଉଥିବା ଟଙ୍କା ଓଡ଼ିଶାର ଗାଁ ଗାଁରେ ପହଞ୍ଚି ପାରୁନି । ବିଜେପି ସରକାର ଗଢନ୍ତୁ, ଦିଲ୍ଲୀରୁ ଆସୁଥିବା ପ୍ରତିଟି ଟଙ୍କା ପ୍ରତି ପରିବାର ପାଖରେ ପହଞ୍ଚିବ । ନବୀନଙ୍କ ଓଡ଼ିଶା ସହିଛି, କିନ୍ତୁ ନବୀନଙ୍କ ନାଁରେ ଚାଲିଥିବା ତାମିଲ ଶାସନକୁ ବିଜେପି ସହ୍ୟ କରିବନି ବୋଲି କହିଛନ୍ତି ଅମିତ ଶାହା ।