ଯୁବପିଢିଙ୍କ ବିକାଶ ପାଇଁ ନବୀନଙ୍କ ଗ୍ୟାରେଣ୍ଟି । ସ୍ୱୟମ୍ ଯୋଜନାରେ ମିଳିବ ବିନା ସୁଧରେ ୨ ଲକ୍ଷ ଟଙ୍କାର ଋଣ, ୧୦ ବର୍ଷରେ ୧ ଲକ୍ଷ କୋଟିର ଯୁବ ବଜେଟ

78

କନକ ବ୍ୟୁରୋ : ରାଜ୍ୟସରକାର ରାଜ୍ୟର ଯୁବପିଢିଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହାସହ ୨୦୨୪ ନିର୍ବାଚନରେ ପୁଣି ସରକାରକୁ ଆସିଲେ ଆହୁରି କିଛି ଯୋଜନା ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ରମରେ ନବୀନ ସରକାର ଘୋଷଣା କରିଛନ୍ତି କି ରାଜ୍ୟର ଯୁବକମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଆଗାମୀ ୧୦ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଯୁବ ବଜେଟ ଅଣାଯିବ । ଏହି ବଜେଟକୁ ୧୦ ବର୍ଷ ମଧ୍ୟରେ ଯୁବପିଢିଙ୍କ ସମୃଦ୍ଧି ପାଇଁ ବିଭିନ୍ନ ଦିଗରେ ଖର୍ଚ୍ଚ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ସେହିଭଳି  ରାଜ୍ୟର ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭର କରିବାକୁ  ରାଜ୍ୟ ସରକାର ସ୍ୱୟମ ଯୋଜନା ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ବ୍ୟାଙ୍କରୁ ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହି ଋଣ ଦେବା ବେଳେ ବ୍ୟାଙ୍କ ଋଣଗ୍ରହିତାଙ୍କୁ କୌଣସି ବନ୍ଧକ ମାଗିପାରିବେ ନାହିଁ । ଏହି ଋଣ ସହଜ ଓ ସୁବିଧାରେ ଉପଲବ୍ଧ ହେବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟାଙ୍କଗୁଡିକୁ ସୂଚନା ପ୍ରଦାନ କରିଛନ୍ତି । ଋଣ ନେଇ ବେକାର ଯୁବକ ଯୁବତୀ ବ୍ୟବସାୟ ସହ ଅନ୍ୟ କିଛି କରି ନିଜର ଗୁଜରାଣ ମେଣ୍ଟାଇପାରିବେ । ଏହାସହ ସେମାନଙ୍କ ପାଖରେ ଯଦି ବ୍ୟବସାୟ ପ୍ରତିଷ୍ଠାନ ରହିଛି ତେବେ ତାହାକୁ ବୃଦ୍ଧି କରିପାରିବେ ।