ଇଭିଏମ ଭଙ୍ଗାରୁଜା ଅଭିଯୋଗକୁ ନେଇ ତେଜିଲା ରାଜନୀତି । ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ପରେ କଟାକ୍ଷ କଲା ବିଜେଡି, ବିଜେପି ଦେଲା ଚେତାବନୀ

2,101

କନକ ବ୍ୟୁରୋ : ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । ଇଭିଏମ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୁଲିସ । ଶନିବାର ବିଳମ୍ବିତ ରାତିରେ ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ସ୍କୁଲର ୧୪୪ ନମ୍ବର ବୁଥରେ ଗଣ୍ଡଗୋଳ, ମାରପିଟ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପୁଲିସ ପ୍ରଶାନ୍ତ ଜଗଦେବକୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇଦିଆଯାଇଛି । ପ୍ରଶାନ୍ତଙ୍କ ଗିରଫଦାରୀକୁ ବିଜେପି କର୍ମୀ ସହଜରେ ଗ୍ରହଣ କରିପାରିନାହାନ୍ତି । ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସୋମବାର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ବିଜେପି କର୍ମୀ । ସବୁଠାରୁ ବଡ କଥା ହେଲା, ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି । ଏ ଯାଏଁ ସିସିଟିଭି ଯାଂଚ ହୋଇନାହିଁ । ଏସପି ଅବିନାଶ କୁମାର କହିିଛନ୍ତି ସିସିଟିଭି ଯାଂଚ ପାଇଁ ପ୍ରକ୍ରିୟା ଚାଲିଛି । ଯାଂଚ ପରେ କାର୍ଯ୍ୟାନୁଷ୍ଠାନ ହେବ ।

ପ୍ରଶାନ୍ତଙ୍କ ବିରୋଧରେ ୧୧୭/୨୪ରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଲଗାଯାଇଛି । ପ୍ରଶାନ୍ତ ଜଗଦେବକୁ ନେଇ ଖୋର୍ଦ୍ଧା ରାଜନୀତି ଉଠୁଥିବା ପଡୁଥିବାବେଳେ ଭୁବନେଶ୍ୱରରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି ।

ବିଜେଡି ଆଜି ସିଧାସଳଖ ବିଜେପି ଓ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ କରିଛି । ଦଳ କହିଛି, ବିଜେପି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଟିକେଟ ଦେଉଛି । ଯେଉଁମାନେ ଦୀର୍ଘଦିନ ଧରି ଦଳରେ ଅଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଛି । ଏହା ହେଉଛି ବିଜେପିର ଚରିତ୍ର । ଜବାବରେ ବିଜେପି ପାଲଟା ପ୍ରଶ୍ନ କରିଛି , ବିଜେଡିରେ ରହିଲାବେଳେ ସୁନାମୁଣ୍ଡା ଆଉ ବିଜେପିକୁ ଆସିଲେ ଖପରା ହୋଇଯାଉଛନ୍ତି ।

ପ୍ରଶାନ୍ତ ଜଗଦେବଙ୍କୁ ନେଇ ବ୍ରହ୍ମପୁର ଲୋକସଭା ଆସନର ବିଜେଡି ଓ ବିଜେପି ପ୍ରାର୍ଥୀ ବି ମୁହାଁମୁହିଁ ହୋଇଛନ୍ତି । ବିଜେଡିର ଅଭିଯୋଗ ଅନୁସାରେ, ବୋଲଗଡ଼ର ଏକ ବୁଥରେ ପଶି ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭଙ୍ଗାରୁଜା କରିଥିଲେ । ଘଟଣାକୁ ନେଇ ଖୋର୍ଦ୍ଧା ଏସଡିପିଓ ପ୍ରଶାନ୍ତ ଜଗଦେବଙ୍କୁ ବୋଲଗଡ ଥାନାକୁ ନେଇଥିଲେ । ଆଉ ଅଟକ ରଖାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା, ଯାହାକୁ ନେଇ ରାଜନୀତି ଉଷ୍ମ ହୋଇଛି ।