ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ଅର୍କେଶ ? ନିର୍ବାଚନ ସମୟରେ ମାଗିଥିଲେ ଶହେ କୋଟି । ଅର୍କେଶଙ୍କ ନାଁ ରେ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ।

983

କନକ ବ୍ୟୁରୋ: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛି ବଲାଙ୍ଗୀର ରାଜ ପରିବାର । ରାଜ ପରିବାର ସଦସ୍ୟ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ, ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରିଜା । ସ୍ୱାମୀ ଅର୍କେଶ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା । ସେପଟେ ଅର୍କେଶ କହିଛନ୍ତି ତାଙ୍କ ପରିବାର ବିରୋଧରେ ହୋଇଛି ମିଛ ଅଭିଯୋଗ ।

  • ରାଜ ପରିବାରରେ ଉଠିଛି ଝଡ଼
  • ପଦାରେ ପଡ଼ିଛି ରାଜାଘର ଗୁମର

ରାଜ ପରିବାରରୁ ରାଜନୀତି । ସାଂସଦରୁ ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ରାଜ ପରିବାର ଓଡ଼ିଶାରେ ଯେତେ ପରିଚିତ, ରାଜନୀତିରେ ମଧ୍ୟ ସେତେ ସକ୍ରିୟ । ଏ ଏଭଳି ଏକ ପରିବାର, ଯେଉଁ ପରିବାର ଓଡ଼ିଶାକୁ ଦେଇଛି ଅନେକ ତୁଙ୍ଗ ନେତା । ହେଲେ ଏହି ପରିବାର ଏବେ ଭିନ୍ନ ଏକ କାରଣକୁ ନେଇ ଚର୍ଚ୍ଚାକୁ ଆସିଛି । ରାଜ ପରିବାର ସଦସ୍ୟ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ, ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଆସିଛି ସାଂଘାତିକ୍ ଅଭିଯୋଗ ।

  • ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ଅର୍କେଶ ?
  • ‘ନିର୍ବାଚନ ସମୟରେ ମାଗିଥିଲେ ଶହେ କୋଟି’
  • ‘ଅର୍କେଶଙ୍କ ନାଁ ରେ ଅଦ୍ରିଜାଙ୍କ ଅଭିଯୋଗ’

ଅର୍କେଶ ନାରାୟଣ ସିଂହଦେଓଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକ ବିରୋଧରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି, ତାଙ୍କ ପତ୍ନି ଅଦ୍ରିଜା ମଞ୍ଜରୀ । ଏନେଇ ଉତରାଖଣ୍ଡ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି ଅଦ୍ରିଜା । ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଉତରାଖଣ୍ଡ ଡିଜିପିଙ୍କୁ ଭେଟିଛନ୍ତି । ତେବେ ଅଦ୍ରିଜା କରିଥିବା ଅଭିଯୋଗ ଅନୁସାରେ-ଗତ ବର୍ଷ ଅଗଷ୍ଟ ମାସରୁ ନିର୍ଯାତନା ଆରମ୍ଭ ହୋଇଥିଲା । ଶାଶୁ ଶ୍ୱଶୂର-ଯାଆ-ଦେଢଶୂର ମଧ୍ୟ ହଇରାଣ କରୁଥିଲେ । ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିବାରୁ ସେ ଡେରାଡୁନ ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ । ଏପରିକି କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ ।

ଅଦ୍ରିଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାମୀ ଅର୍କେଶ ସିଂହଦେଓ । ସେ କହିଛନ୍ତି- ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ମିଛ । ଘର ଲୋକଙ୍କ ନାଁରେ ମିଛ ମାମଲା କରିଛନ୍ତି ଅଦ୍ରିଜା । ୩ ଦିନ ତଳେ ଘରେ ଗୁଣ୍ଡା ପୁରାଇଥିଲେ ଅଦ୍ରିଜା । ଏସବୁ ଅଭିଯୋଗ କରି ଆଦ୍ରିଜା ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ଅର୍କେଶ । ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ନଭେମ୍ବର ମାସରେ ଅଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରିଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୯ ନିର୍ବାଚନରେ ଅର୍କେଶଙ୍କ ଆଦ୍ରିଜା ନିର୍ବାଚନୀ ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।