କାଳବୈଶାଖୀର ପ୍ରକୋପ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଏପଟେ ମୌସୁମୀ ଆସିବା ବିଳମ୍ବ ନେଇ ଆକଳନ କଲା ପାଣିପାଗ ବିଭାଗ । ୪ ତାରିଖରେ ଛୁଇଁବ କେରଳ

272

କନକ ବ୍ୟୁରୋ: ଆଜି ସାଢେ ୨ଟା ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରାର ରେକର୍ଡ ହୋଇଛି । ୪୩ ଡିଗ୍ରୀ ସହ ସମ୍ବଲପୁର ଓ ଝାରସୁଗୁଡା ସର୍ବାଧିକ ଉତପ୍ତ ସହର ପାଲଟିଥିବା ବେଳେ ହୀରାକୁଦରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିଲା । ଏଥିସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ଦିନତମାମ ଗୁଳୁଗୁଳି ଅନୁଭୂତ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ କିଛି ଜିଲ୍ଲାରେ ଦିନ ତାପମାତ୍ରା ବେଶି ବୃଦ୍ଧି ହୋଇନଥିଲେ ବି ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଆଗାମୀ ୫ ଦିନ ଯାଏଁ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।

  • ଆହୁରି ୫ ଦିନ ଲାଗିରହିବ ଗ୍ରୀଷ୍ମ ପ୍ରବାହ
  • ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ପୂର୍ବାନୁମାନ
  • ବିଳମ୍ବରେ ଆସିପାରେ ମୌସୁମୀ ବର୍ଷା

ଉତ୍ତର ବିହାରରୁ ମଧ୍ୟ-ଛତିଶଗଡ଼ ଯାଏଁ ଏକ ଟ୍ରପ ଲାଇନ ରହିଥିବାରୁ ଏହା ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡି଼ଶାରେ ବିଜୁଳି ଓ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ଗଞ୍ଜାମ ଭଞ୍ଜନଗର, ଯାଜପୁର ଧର୍ମଶାଳା ଓ ଢେଙ୍କାନାଳ କାମାକ୍ଷାନଗରରୁ ଆସିଛି ଭଲ ବର୍ଷାର ଖବର । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଅପରାହ୍ନରେ ବର୍ଷା କିଛିଟା ଆଶ୍ୱସ୍ତି ଆଣିଛି ସତ କିନ୍ତୁ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ଯୋଗୁଁ ବଡବଡ ଗଛ ଉପୁଡି ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି । ନୟାଗଡ ଖଣ୍ଡପଡାରେ ଅଟୋ ଉପରେ ଗଢ ପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଏହାରି ଭିତରେ ଆଉ ଏକ ଚିନ୍ତାଜନକ ବିଷୟ ହେଉଛି, ଚଳିତବର୍ଷ ମୌସୁମୀ ବର୍ଷା ବିଳମ୍ବରେ ଆସିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆଇଏମଡିର ଆକଳନ

  • ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ
  • ଚଳିତବର୍ଷ ଏହା ଜୁନ୍ ୪ ତାରିଖରେ କେରଳରେ ପହଞ୍ଚିବା ସମ୍ଭାବନା
  • ୨୦୧୮ ଓ ଗତବର୍ଷ ଅର୍ଥାତ ୨୦୨୨ରେ ମେ’ ୨୯ରେ ପହଞ୍ଚିଥିଲା
  • ୨୦୧୯ରେ ଜୁନ୍ ୮, ୨୦୨୦ରେ ଜୁନ୍ ୧ ଓ ୨୦୨୧ରେ ଜୁନ୍ ୩ରେ ପହଞ୍ଚିଥିଲା
  • ଗତ ୧୮ ବର୍ଷ ହେଲା ମୌସୁମୀକୁ ନେଇ ପୂର୍ବାନୁମାନ କରିଆସୁଛି ଆଇଏମଡି