ଭାରତକୁ ପାକିସ୍ତାନର ପ୍ରସ୍ତାବ: ମୋଦିଙ୍କ ସହ କଥାବାର୍ତ୍ତା ପାଇଁ ଇମ୍ରାନ ପ୍ରସ୍ତୁତ, କେତେକ ସର୍ତ୍ତ ସହ ବନ୍ଧକ ପାଇଲଟଙ୍କୁ ଛାଡିବାକୁ କହିଲା ପାକ୍

ଭାରତର ଜବାବ୍, ପାଇଲଟଙ୍କୁ ନେଇ ହୋଇପାରିବ ନାହିଁ କୌଣସି ଚୁକ୍ତି

793

କନକ ବ୍ୟୁରୋ: ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟଙ୍କୁ ନେଇ ସାମ୍ନାକୁ ଆସିଛି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ବଡ ବୟାନ । ଭାରତକୁ କେତେକ ପ୍ରସ୍ତାବ ଦେଇଛି ପାକିସ୍ତାନ । କ୍ୟୁରେସି କହିଛନ୍ତି, ଭାରତ-ପାକିସ୍ତାନରେ ଲାଗିଥିବା ଉତେଜନା ଓ ପାଇଲଟଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହାସହ ଉତେଜନା କମିବା ପରେ କେତେକ ସର୍ତ ସହ ବନ୍ଧକ ପାଇଲଟଙ୍କୁ ଛାଡିବାକୁ ଇସଲାମ୍ବାଦ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ସେପଟେ, ପାକିସ୍ତାନର ପ୍ରସ୍ତାବ ପରେ ପ୍ରତିକ୍ରିୟା ରଖିଛି ଭାରତ । ମିଳିଥିବା ସୂଚନା ଅନୁସାରେ ପାଇଲଟଙ୍କୁ ନେଇ କୌଣସି ପ୍ରକାର ଚୁକ୍ତି ହୋଇପାରିବ ନାହିଁ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ପାଇଲଟ ଅଭିନନ୍ଦନଙ୍କୁ ତୁରନ୍ତ ସୁରକ୍ଷିତ ଛାଡୁ ପାକିସ୍ତାନ । ପାଇଲଟଙ୍କର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ଚେତାବନୀ ଦେଇଛି । ଆତଙ୍କବାଦ ବିରୋଧରେ ପାକିସ୍ତାନ ଭରସା ଯୋଗ୍ୟ କାର୍ଯ୍ୟାନୁଷ୍ଠାନ ନେଉ । ପାକିସ୍ତାନ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବା ପରେ ଭାରତ ଆଲୋଚନା ଟେବୁଲ ଆସିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଥିବା ସୂଚନା ମିଳିଛି ।

Comments are closed.