ଫିଫା ବିଶ୍ୱକପ ଲଢେଇ : ଆଜି ଫାଇନାଲରେ ଫ୍ରାନ୍ସକୁ ଭେଟିବ କ୍ରୋଏସିଆ, ଇଂଲଣ୍ଡକୁ ୨-୦ ଗୋଲରେ ହରାଇ ତୃତୀୟ ସ୍ଥାନରେ ବେଲଜିୟମ

44

କନକ ବ୍ୟୁରୋ : ଆଜି ଫିଫା ମହାକୁମ୍ଭର ମହାମୁକାବିଲା । ଫ୍ରାନ୍ସ- କ୍ରୋଏସିଆ ମଧ୍ୟରେ ହେବ ଶେଷ ଲଢ଼େଇ । ଋଷିଆ ଫୁଟବଲ୍ ବିଶ୍ୱଯୁଦ୍ଧର ଅନ୍ତିମ ମୁକାବିଲାରେ ଦୁଇ ଇଉରୋପୀୟ ଶକ୍ତି ଫ୍ରାନ୍ସ ଓ କ୍ରୋଏସିଆ ମୁହାଁମୁହିଁ ହେବେ । ଏଥିରେ ଫ୍ରାନ୍ସ ଦ୍ୱିତୀୟ ଥର ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିଛି । ଅନ୍ୟ ପକ୍ଷରେ କ୍ରୋଏସିଆ ପ୍ରଥମ ଫାଇନାଲରେ ପ୍ରବେଶ କରିଥିବାରୁ ବିଶ୍ୱକପ୍ ଜିତିନେବାକୁ ଚେଷ୍ଟା କରଥିଲା । ଫ୍ରାନ୍ସ ଓ କ୍ରୋଏସିଆ ପୂର୍ବରୁ ୧୯୯୮ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ । ସେହି ମୁକାବିଲାକୁ ଫ୍ରାନ୍ସ ୨-୧ରେ ଜିତି ନେଇଥିଲା । ଏଣୁ ଆଜି କ୍ରୋଏସିଆ ପାଖରେ ଉଭୟ ପ୍ରତିଶୋଧ ଏବଂ ଇତିହାସ ରଚିବାର ସୁଯୋଗ ରହିଛି ।

ଫିଫା ସେମିଫାଇନାଲରେ ହାରିବା ପରେ ତୃତୀୟ ଦଳ ଭାବେ ଐତିହାସିକ କାଂସ୍ୟ ପଦକ ଜିତିଛି ବେଲଜିୟମ । ପ୍ରଥମଥର ପାଇଁ ବିଶ୍ୱକପ କାଂସ୍ୟ ପଦକ ହାସଲ କରି ବେଲଜିୟମ ମଧ୍ୟ ନିଜ ଫୁଟବଲ ଇତିହାସରେ ନୂଆ ଫର୍ଦ ଯୋଡିଛି । ଶନିବାରର ମୁକାବିଲାରେ ବେଲଜିୟମ ୨-୦ ଗୋଲରେ ୧୯୬୬ ବିଜେତା ଇଂଲଣ୍ଡ ହରାଇ ଦେଇଛି । ଇତିହାସରେ ପ୍ରଥମଥର ପାଇଁ ବେଲଜିୟମ ଏହି ସ୍ଥାନରେ ପହଂଚିବାରେ ସକ୍ଷମ ହୋଇପାରିଛି । ଋଷିଆର ସେଂଟ ପିଟର୍ସ ବର୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳ । ଖେଳ ଆରମ୍ଭରୁ ଏକ ଗୋଲ ସ୍କୋର କରି ଆଗରେ ରହିଥିଲା ବେଲଜିୟମ । ୪ମିନିଟରେ ପ୍ରଥମ ଗୋଲ ଏବଂ ୮୨ ମିନିଟରେ ବିଜୟ ଗୋଲ ଦେଇଥିଲେ ବେଲଜିୟମ । ଫଳରେ ବିଶ୍ୱକପର ସବୁଠୁ ଶାଣିତ ଦଳ ଭାବେ ଖ୍ୟାତି ଅର୍ଜନ କରିଥିବା ବେଲଜିୟମ ଖାଲି ହାତରେ ଫେରିବା ଦୁଃଖରୁ ବର୍ତ୍ତି ଯାଇଛି । ଫ୍ରାନ୍ସ ନିକଟରୁ ସେମିଫାଇନାଲରେ ହାରିଯିବା ପରେ ମର୍ମାହତ ଇଡେନ ହାଜାର୍ଡଙ୍କ ଦଳ ଏବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅର୍ଜନ କରି ସ୍ୱଦେଶ ଫେରିବ । ୧୯୮୬ ମେକ୍ସିକୋ ବିଶ୍ୱକପରେ ବେଲଜିୟମ ନିଜର ପୂର୍ବ ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ରହିଥିଲା । ଋଷିଆର ସେମିଫାଇନାଲ ବାଟରେ ବ୍ରାଜିଲକୁ ବିଦା କରିଥିବା ବେଲଜିୟମ ଏଥର ମଧ୍ୟ ବିଜୟର ହକଦାର ଥିଲା । ଅନ୍ୟପଟେ ଗ୍ୟାରେଥ୍ ସାଉଥ୍ ଗେଟ୍ ଏବଂ ହ୍ୟାରି କେନଙ୍କ ଇଂଲଣ୍ଡ ଦଳକୁ ଖାଲି ହାତରେ ଫେରିବାକୁ ପଡିଛି ।