ଉପର ମୁଣ୍ଡରେ ପ୍ରବଳ ବର୍ଷା : ବଢୁଛି ହୀରାକୁଦର ଜଳସ୍ତର

389
କନକ ବ୍ୟୁରୋ : ଜଳାଭାବ ଯୋଗୁଁ ଉତ୍କଟ ସ୍ଥିତିରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳ ପତନ କ୍ରମଶଃ ବଢ଼ିବା ଆରମ୍ଭ କରିଛି। ବୁଧବାର ଓ ଗୁରୁବାର ଉପର ମୁଣ୍ଡରେ ଭଲ ରକମର ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଛି ଓ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଶୁକ୍ରବାର ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୦୯.୨୭ ଫୁଟରେ ପହଞ୍ଚିଛି। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୨୫ ହଜାର ୫୮୪ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୬, ୭୦୮ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ୨ ଦିନ ବନ୍ଦ ରହିବା ପରେ ଗୁରୁବାର ସଂଧ୍ୟାରୁ ପାୱାର ଚାନେଲକୁ ପାଣି ଛଡ଼ାଯିବା ଆରମ୍ଭ ହୋଇଥିଲା। ଶୁକ୍ରବାର ରାତି ୯ଟାରେ ପାୱାର ଚାନେଲରେ ୧୩ ହଜାର ୮୦୦, ବରଗଡ଼ କେନାଲରେ ୨୦୭୮, ଶାସନ କେନାଲରେ ୬୦୦, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୦ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା।
ରାତି ୯ଟା ବେଳେ ହୀରାକୁଦ ତଳ ମୁଣ୍ଡରେ ମହାନଦୀରେ ବେଲଗାଁଠାରେ ୭୦ ହଜାର କ୍ୟୁସେକ, ପଥର୍ଲାଠାରେ ୨, ୧୬, ୯୯୪ କ୍ୟୁସେକ, ଖଇରମାଳଠାରେ ୩ ଲକ୍ଷ କ୍ୟୁସେକ, ବରମୂଳଠାରେ ୨, ୭୭, ୭୫୦ କ୍ୟୁସେକ ଓ ମୁଣ୍ଡଳିଠାରେ ୩, ୬୮, ୧୭୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ପାୱାର ଚାନେଲରେ ପାଣି ଛଡ଼ାଯିବା ପରେ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲେ ବି ପରିମାଣ ଖୁବ କମ ରହିଛି। ଶୁକ୍ରବାର ବୁର୍ଲା ପାୱାର ହାଉସ୍ରୁ ହାରାହାରି ୧୧.୭୫ ଓ ଚିପିଲିମା ପାୱାର ହାଉସ୍ରୁ ୧.୨୯୧ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୧.୬୯ ମିଲିମିଟର ଓ ତଳ ମୁଣ୍ଡରେ ୧.୨୯୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।