ରାମ ମନ୍ଦିର ନେଇ ମୋଦିଙ୍କ ବୟାନ ପରେ ଅସନ୍ତୋଷ ପ୍ରକାଶ କଲା ବିଶ୍ୱ ହିନ୍ଦୁ ପରିଷଦ: କହିଲା, ବର୍ତ୍ତମାନର ସରକାର ହିଁ ଆଣନ୍ତୁ ଆଇନ୍

ଆସନ୍ତା ୩୧ରେ ଧର୍ମ ସଂସଦରେ ସ୍ଥିର ହେବ ଋଣନୀତି

110

କନକ ବ୍ୟୁରୋ: ରାମମନ୍ଦିର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ ଆଜି ମନ୍ଦିର ନିର୍ମାଣ ଦାବି ପାଇଁ ସଂସଦରେ ଆଇନ ଆଣିବାକୁ ଦାବି କରିଛି ବିଶ୍ୱ ହିନ୍ଦୁ ପରିଷଦ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସମାଜ ଆଉ ଅଧିକ ଦିନ ଅପେକ୍ଷା କରିପାରିବ ନାହିଁ । ତେଣୁ ଏଥିପାଇଁ କ୍ଷମତାରେ ରହିଥିବା ସରକାର ବର୍ତମାନ ଆଇନ ଆଣନ୍ତୁ ଓ ମନ୍ଦିର ନିର୍ମାଣ କରନ୍ତୁ ବୋଲି ଭିଏଚପି ଦାବି କରିଛି । ଭିଏଚପିର କାର୍ଯ୍ୟକାରୀ ଅଧକ୍ଷ ଆଲୋକ କୁମାର କହିଛନ୍ତି ରାମମନ୍ଦିର ମାମଲାରେ ବିଚାର ପାଇଁ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଖଣ୍ଡପୀଠ ଗଠିତ ହୋଇନାହିଁ ।

ତେଣୁ ଏହି ବିଚାର ପ୍ରକ୍ରିୟା ଆହୁରି ଲମ୍ବିତ ହେବ ବୋଲି ସେ କହିଛନ୍ତି । ତେବେ ଆସନ୍ତା ଜାନୁୟାରୀ ୩୧ ଓ ଫେବ୍ରୁଆରୀ ପହିଲାରେ କୁମ୍ଭମେଳା ଅବସରରେ ଧର୍ମ ସଂସଦ ବସିବ । ଧର୍ମ ସଂସଦରେ ମନ୍ଦିର ନିର୍ମାଣ ନେଇ ସାଧୁ ସନ୍ଥଙ୍କ ମତ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ।

ଗତକାଲି ନୂଆ ବର୍ଷରେ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ରାମ ମନ୍ଦିର ନିର୍ମାଣ ପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରାଯିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପରବର୍ତି ପଦକ୍ଷେପ ନିଆଯିବ । ତେଣୁ ବର୍ତମାନ ସରକାର ରାମମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶ ଅଣାଯିବ ନାହିଁ । ଆସନ୍ତା ୪ତାରିଖରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି ହେବ ।