ଆତଙ୍କୀଙ୍କୁ ମୂଳ ପୋଛ କରିବା ପାଇଁ ଆଉ ପାଦେ ଆଗେଇଲା ଆମେରିକା ! ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ପୁଣି ଦେଲା ପ୍ରସ୍ତାବ । 

317

କନକ ବ୍ୟୁରୋ : ଜୈସ ଏ ମହମ୍ମଦକୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପାଇଁ ଆଉ ପାଦେ ଆଗେଇଲା ଆମେରିକା । ବ୍ରିଟେନ ଓ ଫ୍ରାନ୍ସର ସହାୟତା ନେଇ ଆମେରିକା ପ୍ରସ୍ତୁତ କରିଥିବା ପ୍ରସ୍ତାବରେ କୁହାଯାଇଛି ମସୁଦ ଅଜହରର ଆତଙ୍କୀ ଅର୍ଥ ପୋଷଣ, ଯୋଜନା ପ୍ରସ୍ତୁତି, ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି କାମ ସହ ଜଡ଼ିତ । ଯାହା ପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ । କିନ୍ତୁ ଅପରପକ୍ଷରେ ଚୀନ ଆତଙ୍କବାଦକୁ ସୁରକ୍ଷା ଦେବାକୁ ଯାଇ କହିଛି ଆମେରିକା ଏହି ପ୍ରସଙ୍ଗକୁ ସୁରକ୍ଷା ପରିଷଦକୁ ନେବା ଭୁଲ ଉଦାହରଣ ସୃଷ୍ଟି କରୁଛି ।

ଚଳିବନି ଆତଙ୍କବାଦୀଙ୍କ ରାଜ । ଆତଙ୍କବାଦୀଙ୍କୁ ମୂଳ ପୋଛ କରିବା ପାଇଁ ଆଉ ପାଦେ ଆଗେଇଲା ଆମେରିକା । ପାକିସ୍ତାନରେ ଆତଙ୍କବାଦ କାୟା ବିସ୍ତାର କରିଥିବା ଜୈସ ଏ ମହମ୍ମଦ ସଂଗଠନ ପାଇଁ ଆମେରିକାର କଡ଼ା ଚେତାବନି । ଜୈସ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ପୁଣି ପ୍ରସ୍ତାବ ଦେଇଛି ଆମେରିକା । ଆତଙ୍କବାଦକୁ କଳା ତାଲିକାଭୁକ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଅବଲମ୍ବନ କରିବ ବୋଲି ଆମେରିକା ବିଦୈଶିକ ବିଭାଗ ମୁଖପାତ୍ର ସୂଚନା ଦେଇଛନ୍ତି । ବ୍ରିଟେନ ଓ ଫ୍ରାନ୍ସ ସମର୍ଥନ ସହିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବର ଉପସ୍ଥାପନା ପ୍ରସ୍ତୁତ କରିଛି ଆମେରିକା ।

ଆମେରିକା ଦେଇଥିବା ପ୍ରସ୍ତାବରେ କୁହାଯାଇଛି ମାସୁଦ ଅଜହରର ଆତଙ୍କୀ ଅର୍ଥ ପୋଷଣ, ଯୋଜନା ପ୍ରସ୍ତୁତି, ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି କାମ ସହ ଜଡ଼ିତ । ଯାହା ପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ । ଏହି ମାମଲାରେ ଚୀନ ପକ୍ଷରୁ କୁହାଯାଇଛି ଯେ, ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗ ସକରାତ୍ମକ ଭାବରେ ଆଗେଇଛି । ଆମେରିକା ଏହି ପ୍ରସଙ୍ଗକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ନେଇ ଭୁଲ ଉଦାହରଣ ସୃଷ୍ଟି କରିଛି । ଚୀନ ଜୈସ ପ୍ରମୁଖକୁ ବାରମ୍ବାର ବଂଚାଇବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କବାଦୀକୁ କଳା ତାଲିକାଭୁକ୍ତ କରିବା ପାଇଁ ଲାଗିପଡ଼ିଛି ଆମେରିକା ।

ଗୋଟିଏ ପକ୍ଷରେ ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ଦିଗରେ ଭାରତ ସହ ଆମେରିକା, ଫ୍ରାନ୍ସ, ବ୍ରିଟେନ ଓ ଜର୍ମାନୀ ବାରମ୍ବାର ପଦକ୍ଷେପ ନେଉଛନ୍ତି । ଅପରପକ୍ଷରେ କିନ୍ତୁ ମାସୁଦକୁ ସୁରକ୍ଷା କବଚ ଦେଇ ଆସୁଛି ଚୀନ୍ । ଏହି ପ୍ରସଙ୍ଗ ପୁଣିଥରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉଠିଥିବା ବେଳେ ଏବେ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚୀନର ଭୂମିକା ଉପରେ ରହିଛି ସମସ୍ତଙ୍କ ନଜର ।