ମୁଁ ଲୋକାଲ ଟୋକା, ବୋମା ପକାଇ ଉଡାଇ ଦେବି ଭୁବନେଶ୍ୱର ବିମାନବନ୍ଦର! ଜାଣନ୍ତୁ କିଏ ଓ କାହିଁକି ଦେଲା ଏଭଳି ଧମକ

54

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇଦେବି । ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ଅଜଣା ନମ୍ବରରୁ ଫୋନ କରି କେହି ଦୁବୃର୍ତ ଏଭଳି ଧମକ ଦେଇଛନ୍ତି । କେହିଜଣେ ପରିଡା ନାମକ ବ୍ୟକ୍ତି ବିମାନବନ୍ଦର ଅଫିସ କାର୍ଯ୍ୟାଳୟ ଫୋନକୁ କଲ କରି ବାରମ୍ବାର ଧମକ ଦେଉଛନ୍ତି । ବ୍ୟକ୍ତି ଜଣକ ଫୋନକରି କହୁଛି ‘ହ୍ୟାଲୋ ମୁଁ ପରିଡା କହୁଛି କାଲି ମୋର ଗୋଟିଏ ଗଞ୍ଜେଇ ଅଖା ମୁମ୍ବାଇ ଯିବ । କେଉଁଥିରେ ଯିବ କେମିତି ଯିବ ସେ କଥା ତୁମେ ବୁଝିବ । ଯଦି ଏଥିରେ କିଛି ଭୁଲ ହେବ ତେବେ ପରିସ୍ଥିତି ଭୟଙ୍କର କରିଦେବି ବୋଲି ଧମକ ଦେଉଛନ୍ତି ଉକ୍ତ ବ୍ୟକ୍ତି ଜଣକ । ମୋ ଘର ଖଣ୍ଡଗିରି, ମୁଁ ଲୋକାଲ ଲୋକ ୧୦ ମିନିଟ୍ ଭିତରେ ବିମାନବନ୍ଦର ଉଡାଇଦେବି ପରେ ଆଉ ପରିଡାକୁ ଦୋଷ ଦେବନି କହିଦେଉଛି । ଏଭଳି କିଛି ଧମକ ପରିଡା ନାମକ ବ୍ୟକ୍ତି ୭୮୭୩୬୦୫୯୩୩ ନମ୍ବରରୁ ବାରମ୍ବାର କଲ କରି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।

BIJU-PATNAIK-AIRPORTଏନେଇ ବିମାନବନ୍ଦର କର୍ତ୍ତୁପକ୍ଷ ଏୟାର ଫିଲ୍ଡ ଥାନାରେ ଏତଲା ଦେଇଥିବା କହିଛନ୍ତି । ତେବେ ଏହି ଅଜଣା କଲ ଟି ସବୁଠି ଏବେ ହଇଚଇ ସୃଷ୍ଟି କରିଛି । ସମ୍ପୃକ୍ତ ନମ୍ବରକୁ ଅଧାର କରି ପୋଲିସ ଘଟଣାର ସତ୍ୟାସତ୍ୟ ପାଇଁ ଖୋଳତାଡ ଆରମ୍ଭ କରିଛି । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ କହିବା ମୁତାବକ ଭୁବନେଶ୍ୱର ବିମାନବନ୍ଦରର ଅଫିସ୍ ଲ୍ୟାଣ୍ଡଲାଇନକୁ ଏହି ଅଜଣା ନମ୍ବରରୁ କଲ ଆସିଥିଲା । ଅଫିସ ଫୋନ ନିର୍ଦ୍ଦେଶକଙ୍କ ପି.ଏ ରିସିଭ କରିବା ପରେ ବ୍ୟକ୍ତି ଜଣକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲା ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଥରେ କି ଦୁଇ ଥର ନୁହେଁ ବରଂ ବାରମ୍ବାର ଏଭଳି କଲ ଆସିବାରୁ ଏୟାର ଫିଲ୍ଡ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ତେବେ କିଏ ,କେଉଁ ଉଦ୍ଦେଶ୍ୟରେ ଏହି ଧମକ ଦେଉଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଗୋଟିଏ ପଟେ ବିମାନବନ୍ଦରରୁ ଲଗାତାର ସୁନା ଜବତ ହେବା ଘଟଣାରେ ହୁଏତ କେହି ସୁନା ସ୍ମଗଲର କିମ୍ବା ଅପରାଧୀ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । କେବଳ ଏତିକି ନୁହେଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ରେ କଟକ ଆସୁଥିବା ବେଳେ ଏଭଳି ଧମକ ପୂର୍ଣ୍ଣ ଫୋନକୁ ନେଇ ମଧ୍ୟ ପୋଲିସ୍ ତନାଘନା ଆରମ୍ଭ କରିଛି ।