ଉତ୍ତରପ୍ରଦେଶ ଯୁବକଙ୍କ ପ୍ରେମରେ ପଡିଲେ ୟୁକ୍ରେନ ଯୁବତୀ! ବିବାହ ପାଇଁ ସୁଷମାଙ୍କୁ ମାଗିଲେ ସାହାଯ୍ୟ

35

ବିବାହ ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାହାର୍ଯ୍ୟ ମାଗିଲେ ବିଦେଶୀ ଯୁବତୀ । ସୁଷମା ସ୍ୱରାଜଙ୍କୁ ବିଦେଶୀ ଯୁବତୀ ବିବାହ ପାଇଁ ସାହାର୍ଯ୍ୟ ମାଗିବା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଏଭଳି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ନିଜର ବିବାହ ପାଇଁ ଦୀର୍ଘ ଏକ ମାସ ଧରି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଚକ୍କର କାଟୁଛନ୍ତି ବେରୋନିକା । କିନ୍ତୁ ଏହା ପରେ ମଧ୍ୟ ଫଳ ଶୂନ ।

ଘଟଣା ଅନୁଯାୟୀ, ବାଗପତର ଯୁବକ ଅକ୍ଷତ ରଷ ଭାଷା ଶିଖିବା ପାଇଁ ଋଷିଆ ଯାଇଥିବା ବେଳେ ସେଠାରେ ତାଙ୍କର ଭେଟ ହୋଇଥିଲା ୟୁକ୍ରେନର ବେରୋନିକାଙ୍କ ସହ । କିନ୍ତୁ ଋଷିଆରେ ରହିବା ସମୟରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ଏପରିକି ପରେ ବିବାହ କରିବାକୁ ନିଷ୍ପତି ମଧ୍ୟ ନେଇଥିଲେ । ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଭାରତରେ ପହଞ୍ଚିଥିଲେ ଅକ୍ଷତ- ବେରୋନିକା । ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ, ଉଭୟ ବାଗପତ ଏଡିଏମ କୋର୍ଟରେ ବିବାହ ପାଇଁ ଆବେଦନ କରିଥିଲେ । କିନ୍ତୁ ସେମାନଙ୍କ ବିବାହ ତ ଦୂରର କଥା ସେମାନଙ୍କୁ ଏକ ମାସ ହେଲାଣି ଅଫିସର ଚକ୍କର କାଟିବାକୁ ପଡୁଛି । ଏପରିକି ନିଜ ଦୂତବାସରୁ ଏନଉସି ଆଣିଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣିନଥିବା କହିଛନ୍ତି ବେରୋନିକା । ବରଂ ଜିଲ୍ଲାପାଳଙ୍କ ଷ୍ଟେନୋ ତାଙ୍କୁ ଲାଞ୍ଚ ମାଗିବା ସହ ଅଭଦ୍ରାମି କରିଥିବା ଅଭିଯୋଗ ଆଣିଛନ୍ତି ବିଦେଶ ଯୁବତୀ ବେରୋନିକା ।

ଆଉ ଏସବୁ ଭିତରେ ବେରୋନିକାଙ୍କର ଭିଜାର ଅବଧି ମଧ୍ୟ ଶେଷ ହେବାକୁ ଯାଉଛି । ଅଗଷ୍ଟ ୧୩ରେ ବେରୋନିକାଙ୍କର ଭିଜାର ଅବଧି ଶେଷ ହେଉଛି । କିନ୍ତୁ ଜିଲ୍ଲାପାଳ ଓ ପ୍ରଶାସନକି ଅଧିକାରୀ ମାନେ ସେମାନଙ୍କ କଥା ଶୁଣିବାର ନାଁ ନେଉଁନାହାନ୍ତି । ଆଉ ଏସବୁ ଭିତରେ ବେରୋନିକା ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହ ମନ୍ତ୍ରୀ ରାଜନାଥ ସିଂହ, ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୱିଟ୍ କରି ସାହାଯ୍ୟ ମାଗିଛନ୍ତି ।