ଜଳନ୍ଧର ଏକ୍ସପ୍ରେସ ଖେଳିଲା ରକ୍ତର ହୋଲି ! ଅମୃତସରରେ ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାକୁ ନେଇ ଶୋକରେ ସାରା ଭାରତ, ଜାଣନ୍ତୁ କଣ ଥିଲା ପୁରା ଘଟଣା ।

344

କନକ ବ୍ୟୁରୋ : ଯେତେବେଳେ ଦଶହରା ଉତ୍ସବରେ ସାରା ଦେଶ ମସଗୁଲ ଥିଲା , ସେତେବେଳେ ଆସିଛି ଛାତି ଥରାଇ ଦେଲା ଭଳି ଦୁଃଖ ଖବର । ପଂଜାବ ଅମୃତସରରେ ଘଟିଛି ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଯେଉଁଥିରେ ଅନେକ ଲୋକ ମୃତାହତ ହୋଇଥିବା ଖବର ମିଳିଛି । ଜାତୀୟ ଗଣମାଧ୍ୟମରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଉଛି । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଏପରିକି ପଂଜାବ କେଶରୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ୨୦୦ରୁ ଅଧିକ ଟପିପାରେ ମୃତ୍ୟୁ ସଂଖ୍ୟା ।

ଚୌଡ଼ା ବଜାର ନିକଟରେ ରେଳୱେ ଟ୍ରାକ୍ ପାଖରେ ରାବଣ ପୋଡି ଉତ୍ସବ ପାଳନ କରାଯାଉଥିଲା । ବାଣ ଫୁଟା ବେଳେ ଲୋକମାନେ ରେଳୱେ ଟ୍ରାକ ଭିତରକୁ ଚାଲି ଆସିଥିଲେ । ସେମାନଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଜଳନ୍ଧର-ଅମୃତସର ଏକ୍ସପ୍ରେସ ଚଢି ଯାଇଥିଲା । ଏହା ଏପରି ଆକସ୍କିକ ଦୁର୍ଘଟଣା ଥିଲା ଯେ ଲୋକ ବାହାରକୁ ବାହାରିବାକୁ ସମୟ ପାଇନଥିଲେ ।

ଛୋଟ ପିଲା, ମହିଳାଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ରାବଣ ପୋଡି ଦେଖିବାକୁ ଆସିଥିଲେ । ସେହି ସମୟରେ ଟ୍ରେନ ଆସି ଯାଇଥିଲା । ଲୋକ କିଛି ଭାବିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ । ଟ୍ରେନ ଆଗରୁ ବର୍ତିବା ପାଇଁ କୌଣସି ଉପାୟ ନଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଆହତଙ୍କୁ ହସପିଟାଲକୁ ନିଆଯାଉଛି । ଆଶଙ୍କା କରାଯାଉଛି, ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ।

ପ୍ରତ୍ୟକ୍ଷଦର୍ଶୀମାନେ ଯାହା ବର୍ଣନା କରୁଛନ୍ତି, ତାହା ଶୁଣିଲେ ଆପଣଙ୍କ ଛାତି ଥରିଯିବ । ରେଲୱେ ଟ୍ରାକ୍ ନିକଟରେ ଚାଲିଥିଲା ରାବଣ ପୋଡି ଉତ୍ସବ । ହଜାର ହଜାର ସଂଖ୍ୟାରେ ଲୋକମାନେ ବେଶ ଉତ୍ସାହର ସହ ଏହି ଉତ୍ସବରେ ସାମିଲ ହୋଇଥିଲେ । ରେଳୱେ ଟ୍ରାକ ନିକଟରେ ବଡ଼ ଏଲଇଡିରେ ମଧ୍ୟ ରାବଣ ପୋଡି ଉତ୍ସବ ଦେଖାଇବାର ବ୍ୟବସ୍ଥା ହୋଇଥିଲା । ବାଣ ଫୁଟା ଆରମ୍ଭ ବେଳେ ଲୋକେ ଏପଟ ସେପଟ ହୋଇଯାଇଥିଲେ ।

ଡିଏମୟୁ ଜଳନ୍ଧର-ଅମୃତସର ଏକ୍ସପ୍ରେସ ଏହି ସମୟରେ ଘଂଟାକୁ ପ୍ରାୟ ୧୨୦ କିଲୋମିଟର ବେଗରେ ମାଡ଼ି ଆସିଥିଲା । ପ୍ରାଣ ବଂଚାଇବାକୁ ଉଦ୍ୟମ କରିଥିଲେ, ହେଲେ କୌଣସି ବାଟ ମିଳିନଥିଲା । ଟ୍ରାକରେ ଯେଉଁମାନେ ଠିଆ ହୋଇଥିଲେ, ତାଙ୍କୁ ଦଳି ଦେଇଥିଲା ଟ୍ରେନ । ରାବଣ ପୋଡି ଉତ୍ସବରେ ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହେଲେ ଦୁର୍ଘଟଣା ପରେ ସେ ସ୍ଥାନ ଛାଡି ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ପଂଜାବ ଟ୍ରେନ ଦୁର୍ଘଟଣାରେ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ୍ କରି ମୋଦି କହିଛନ୍ତି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ କିପରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି । ଅଧିକାରୀମାନେ କିପରି ଉଦ୍ଧାର କାର୍ଯ୍ୟରେ ସହାୟତା ଯୋଗାଇବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ଦିଗରେ କାର୍ଯ୍ୟ କରିବାକୁ ଟୁଇଟ କରି ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେପଟେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି । ସମସ୍ତ ଆହତଙ୍କୁ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାକୁ ଘୋଷଣା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିବା ସହିତ ଏହା ଏକ ବିଚଳିତ କରିବା ଭଳି ଘଟଣା ବୋଲି କହିଛନ୍ତି । ଏଥିସହ କଂଗ୍ରେସ କର୍ମୀମାନଙ୍କୁ ଘଟଣାସ୍ଥଳରେ ଏବଂ ହସ୍ପିଟାଲରେ ସହାୟତା ପ୍ରଦାନ କରିବା ପାଇଁ କହିଛନ୍ତି ।