ମାସକ ମଧ୍ୟରେ କ’ଣ କରିଛନ୍ତି ମନ୍ତ୍ରୀ ? କାଲି ମୁଖ୍ୟମନ୍ତ୍ରୀଙ୍କୁ ଦେବେ ମାସିକିଆ ରିପୋର୍ଟ

688

କନକ ବ୍ୟୁରୋ: ଆସନ୍ତାକାଲି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ ଦେବେ ମନ୍ତ୍ରୀ । ବିଜେଡି ସରକାରର ପଞ୍ଚମ ପାଳିରେ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀମାନେ ବିଭାଗୱାରୀ ରିପୋର୍ଟ ପ୍ରଦାନ କରିବେ । ପୂର୍ବରୁ ପଞ୍ଚମ ପାଳି ବିଜେଡି ସରକାରଙ୍କ ପ୍ରଥମ ମାସର ବିଭାଗୱାରୀ ରିପୋର୍ଟ ଦେଇଥିଲେ ସବୁ ମନ୍ତ୍ରୀ  । ୨୦୧୯ ନିର୍ବାଚନ ସମୟରେ ଦଳ ଦେଇଥିବା ଇସ୍ତାହାରକୁ କେତେ କାର୍ଯ୍ୟକାରୀ କରାଯାଇଛି ସେନେଇ ମାସିକିଆ ରିପୋର୍ଟ ଦେଇଥିଲେ ସବୁ ମନ୍ତ୍ରୀ ।

ସେହିଭଳ ଆସନ୍ତାକାଲି ମାସର ୭ ତାରିଖ ହୋଇଥିବାରୁ ପ୍ରତି ବିଭାଗର ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଖିବେ ମୁଖ୍ୟମନ୍ତ୍ରୀ । ଗତ ୭ ତାରିଖଠାରୁ ଏପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ କଣ କାମ ହୋଇଛି ସେନେଇ ମନ୍ତ୍ରୀଙ୍କ ବିଭାଗୱାରୀ ରିପୋର୍ଟ ଦେବେ ମନ୍ତ୍ରୀ । ସରକାର ଗଠନ ଆରମ୍ଭରୁ ହିଁ ସଶକ୍ତ ଓଡିଶା ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଏପରିକି ଗରିବୀ ଦୂର କରିବା, ମହିଳା ମାନଙ୍କର ବିକାଶ, ଯୁବକ ମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ସଶକ୍ତ ଓଡିଶା ଗଠନ ଉପରେ ଜୋର ଦେଇଥିଲେ ନବୀନ ।

୫ଟି ଫର୍ମୁଲା ଉପରେ କାମ କରିବାକୁ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ନବୀନ । ମନ୍ତ୍ରୀ ମାନେ ଏବେଠୁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ ଯାହାଦ୍ୱାରା ୨୦୨୦ ମେ ୨୯ ସରକାର ଗଠନର ପ୍ରଥମ ବର୍ଷରେ ଇସ୍ତାହାର କାର୍ଯ୍ୟ ଓ ଏହାର ସଫଳ ରୂପାୟନ ସର୍ମ୍ପକରେ ଆମେ ଲୋକଙ୍କୁ ଜଣାଇପାରିବୁ ବୋଲି କହିଛନ୍ତି ନବୀନ । ତେଣୁ ପ୍ରତି ମାସରେ ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସମୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।