ମହାନଦୀ ପାଣି ବିବାଦ ନେଇ ଆଜି ମହାବୈଠକ : ଦିଲ୍ଲୀରେ କେନ୍ଦ୍ର ସହ ଓଡିଶା ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ତ୍ରିପାକ୍ଷିକ ଆଲୋଚନା

39

କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ମହାବୈଠକ । ଆଜି ଓଡିଶା, ଛତିଶଗଡ ଓ କେନ୍ଦ୍ର ସରକାର ମଧ୍ୟରେ ହେବ ତ୍ରିପାକ୍ଷିକ ବୈଠକ । ଦୁଇ ରା ଜ୍ୟ ମଧ୍ୟରେ ମହାନଦୀରେ ବନ୍ଧ ନିର୍ମାଣ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ଏହି ବୈଠକ ଡକାଇଛି । ଦୁଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରମଣ ସିଂହ ସିଧାସଲଖ ଏହି ବୈଠକରେ ଉପସ୍ଥିତ ରହି ନିଜ ନିଜ ପକ୍ଷ ରଖିବେ ।

ଏହାପୂର୍ବ ଆଜି ସାଢେ ୧୧ଟାରେ ଦିଲ୍ଲୀରେ ବିଜେଡିର ସମସ୍ତ ସାଂସଦଙ୍କ ସହ ଆଲୋଚନ କରିବେ ନବୀନ । ଏହାସହ ଓଡିଶା ଭବନରେ ବିଭିନ୍ନ ଓଡିଆ ସଂଗଠନ ସହିତ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଜଳ ସଂପଦ ସଚିବ ପ୍ରଦୀପ ଜେନାଙ୍କୁ ନେଇ ଦିଲ୍ଲୀ ଗସ୍ତ କରିଛନ୍ତି । ଛତିଶଗଡ ମହାନଦୀରେ କରୁଥିବା ନିର୍ମାଣ ଯୋଗୁଁ ତଳମୁଣ୍ଡ ଥିବା ଓଡିଶା ପ୍ରଭାବିତ ହେବ ବୋଲି ରାଜ୍ୟ ସରକାର ଅଭିଯୋଗ କରୁଛନ୍ତି ।

ଅନ୍ୟପଟେ ଓଡିଶା ସରକାର ମହାନଦୀ ପାଣିର ସଦବିନିଯୋଗ କରୁନଥିବା ଅଭିଯୋଗ କରୁଛି ଛତିଶଗଡ । ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ସରକାର ସମସ୍ତ ଉଦ୍ୟମ କରିବେ ବୋଲି ନବୀନ କହିଛନ୍ତି । ସେପଟେ ଆପୋଷ ସମାଧାନ ନହେଲେ ଆଇନ ଅନୁସାରେ ଏକ ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ।

ଏହା ସହ ରାଜ୍ୟର ସ୍ୱାର୍ଥ ନେଇ କୌଣସି ସାଲିସ ନକରିବାକୁ ମଧ୍ୟ ବିରୋଧୀ ଦଳ କଂଗ୍ରେସ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ବୈଠକ ପରେ ହିଁ ଗତକିଛି ଦିନ ଧରି ଜୋର ଧରିଥିବା ମହାନଦୀ ପାଣି ବିବାଦର ପରବର୍ତୀ ରୂପରେଖ ଜଣାପଡିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –