କେଉଁଠି ରହିବ ସୁନ୍ଦରୀ ? କେନ୍ଦ୍ରୀୟ ଜୁ- ଅଥୋରିଟିଙ୍କ କଡ଼ା ଚେତାବନୀ, ଚିଡିଆଖାନାରେ ରହିପାରିବନି ଜଙ୍ଗଲୀ ଜନ୍ତୁ ।

116

କନକ ବ୍ୟୁରୋ : ସାତକୋଶିଆର ସୁନ୍ଦରୀ ରହିବ କେଉଁଠି ? ଏହାକୁ ନେଇ ସୃଷ୍ଟି ହୋଇଛି ଏକ ବଡ ଦ୍ୱନ୍ଦ୍ୱ । କାରଣ ଅଭୟାରଣ୍ୟରେ ବାଘୁଣୀର ହିଂସ୍ର ଆଚରଣ ବନ ବିଭାଗକୁ ଚିନ୍ତାରେ ପକାଇଥିବା ବେଳେ, ଅନ୍ୟପଟେ ଜଙ୍ଗଲି ବାଘୁଣୀକୁ ନନ୍ଦନକାନନରେ ରଖି ହେବ ନାହିଁ ବୋଲି ଓଡ଼ିଶା ୱାଲ୍ଡ ଲାଇଫ୍ ମୁଖ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ରୀୟ ଜୁ-ଅଥୋରିଟି । ଏଭଳି ସ୍ଥାନାନ୍ତର ନ୍ୟାସନାଲ ଜୁ ପଲିସିର ବିରୁଦ୍ଧାଚରଣ ବୋଲି ଚିଠିରେ ସ୍ପଷ୍ଟ ଲେଖିଛନ୍ତି । ଅନ୍ୟପଟେ ଏନଟିସିଏ ଏବଂ ଓବ୍ଲୁଆଇଆଇର ପରାମର୍ଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲ କହିଛନ୍ତି ପିସିସିଏଫ୍  ।

କ’ଣ ହେବ ‘ସୁନ୍ଦରୀ’ର ଭାଗ୍ୟ ? କେଉଁଠି ରହିବ ବାଘୁଣୀ ? ସାତକୋଶିଆରୁ ଧରା ହୋଇ ‘ସୁନ୍ଦରୀ’କୁ ରାଇଗୁଡ଼ା ଏନକ୍ଲୋଜରକୁ ଅଣାଯିବା ପରେ ଏବେ ଏମିତି କିଛି ପ୍ରଶ୍ନ ଘୁରି ବୁଲୁଛି । ଆଉ ଏହାରି ଭିତରେ ଆସିଛି କେନ୍ଦ୍ରୀୟ ଜୁ-ଅଥୋରିଟିର  ଚିଠି । ଏଥିରେ ସ୍ପଷ୍ଟ ଲେଖା ହୋଇଛି ଯେ, ଜଙ୍ଗଲରେ ଜନ୍ମନେଇ ବଢ଼ିଥିବା ବାଘକୁ ଚିଡ଼ିଆଖାନାରେ ରଖି ହେବ ନାହିଁ । ବନ୍ୟଜନ୍ତୁ ଆକ୍ଟିଭିଷ୍ଟଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜୁ-ଅଥୋରିଟି ଓଡ଼ିଶା ୱାଇଲ୍ଡ ଲାଇଭ୍ ମୁଖ୍ୟଙ୍କୁ ଚିଠି ଲେଖି, ବିହିତ ପଦକ୍ଷେପ ନେବା ପାଇଁ କହିଛନ୍ତି ।

ସୁନ୍ଦରୀକୁ ନନ୍ଦନକାନନ ସ୍ଥାନାନ୍ତର ନେଇ ବିଭାଗୀୟ ମନ୍ତ୍ରୀଙ୍କ ବୟାନ ଆସିବା ପରେ ଏହି ପ୍ରସଙ୍ଗ ଜୋର ଧରିଥିଲା । କୁହାଯାଉଥିଲା ସୁନ୍ଦରୀର ଆଚରଣ ଦେଖିଲା ପରେ ତାକୁ ନନ୍ଦନକାନନକୁ ଅଣାଯିବ । ହେଲେ ଗତକାଲି ଆମ ପ୍ରତିନିଧି କିଛି ବନବିଭାଗର ଅଧିକାରୀଙ୍କ ସହ କଥା ହୋଇଥିଲେ । ସେମାନେ ନାଁ ଗୋପନ ରଖି କହିଥିଲେ, ସୁନ୍ଦରୀର ଗତିବିଧି ଅନୁଧ୍ୟାନ ପରେ ପୁଣି କୋର ଏରିଆକୁ ଛାଡ଼ି ଦିଆଯାଇପାରେ ।

ଏପଟେ ପିସିସିଏଫ୍ କହିଛନ୍ତି, ଏନଟିସିଏ ଏବଂ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟକୁ ଚିଠି ଲେଖାଯାଇଛି । ସେମାନଙ୍କ ଟିମ୍ ଆସି ଅନୁଧ୍ୟାନ କରିବା ପରେ ତାଙ୍କ ପରାମର୍ଶ ଅନୁସାରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ବାଘୁଣୀ ସ୍ଥାନାନ୍ତର ହେବ ନା ନାହିଁ ? ସାତକୋଶିଆରେ ରହିଲେ କେମିତି ରହିବ? ଏହି ସବୁ ପ୍ରଶ୍ନ ସହ ପ୍ରକଳ୍ପର ଭାଗ୍ୟ ନିର୍ଭର କରୁଛି ଏନଟିସିଏ ଓ ଡବ୍ଲୁଆଇଆଇର ନିଷ୍ପତି ଉପରେ । ବଡ କଥା ହେଉଛି ବାଘୁଣୀକୁ ସବୁ ଦିନ ପାଇଁ ଏନକ୍ଲୋଜର ଭିତରେ ରଖିବା ସମ୍ଭବ ନୁହେଁ । ଆଉ ଯଦି ସାତକୋଶିଆରେ ଛଡ଼ା ଯିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବାକୁ ହେବ । ଏବେ ଅପେକ୍ଷା ଏନଟିସିଏ ଟିମକୁ । କାରଣ ଏହି ଟିମର ପରାମର୍ଶ ଆଧାରରେ ହେବ ଚୁଡାନ୍ତ ନିଷ୍ପତି ।