ଅଧାରେ ରହିଗଲା ସ୍ୱପ୍ନ, ସାତ ବର୍ଷ ସଂଘର୍ଷର କରୁଣ ଅନ୍ତ ! ସରକାରୀ ଘରଟିଏ ପାଇଁ ଜୀବନ ହାରିଲେ ନୟାଗଡ ଦଶପଲ୍ଳାର ଶରତ ପାଣି

50

କନକ ବ୍ୟୁରୋ : ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ପକ୍କା ଘରେଟିଏ ପାଇଁ ଦୌଡି ଦୌଡି ଶେଷରେ ଜୀବନ ଗଲା । ନୟାଗଡ ଦଶପଲ୍ଲାର ସରକାରୀ ଘର ପାଇଁ ଜଣେ ବ୍ୟକ୍ତିଙ୍କ ଆତ୍ମଘତ୍ୟା ଘଟଣା ଏବେ ଜିଲ୍ଳା ପ୍ରଶାସନକୁ କାଠଗଡାରେ ଛିଡା କରାଇଛି ।

ଇନ୍ଦିରା ଆବାସ ଘର ପାଇଁ ଆତ୍ମହତ୍ୟା । ନୟାଗଡ ଜିଲ୍ଲା ଦଶପଲ୍ଲା କୃଷ୍ଣଚନ୍ଦ୍ରପୁର ଗାଁର ୫୫ ବର୍ଷୀୟ ଶରତ ପାଣି । ସରକାରୀ ଘରେଟିଏ ପାଇଁ ୭ ବର୍ଷ ସଂଘର୍ଷ କରି ଶେଷରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ଫାଇଲିନ ଆଉ ହୁଡହୁଡ ଭଳି ଦୁଇଟି ବାତ୍ୟାରେ ଶରତଙ୍କ ଭଙ୍ଗା କୁଡିଆ ଖଣ୍ଡିକ ଭାଙ୍ଗିଯାଇଥିଲା । ଏହା ପରେ ପକ୍କା ଘରେଟିଏ ପାଇଁ ସ୍ୱପ୍ନ ଦେଖିଥିଲେ । ଇନ୍ଦିରା ଆବାସ ଘରଟିଏ ପାଇଁ ବାରମ୍ବାର ବିଭିନ୍ନ ଅଫିସ ଦୌଡି ଦୌଡି ନିରାଶ ହେବା ପରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ଶରତ । ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ହସ୍ପିଟାଲ ଓ କଟକ ସ୍ଥାନାନ୍ତର ପରେ ଶେଷରେ ସେ ଆଖିବୁଜିଛନ୍ତି ।

ପଂଚାୟତ ତାଲିକାରେ ନାଁ ଥିଲା । ଦଶପଲ୍ଲାକୁ ଏନଏସି ମାନ୍ୟତା ମିଳିବା ପରେ ଘର ପାଇଁ ଆବେଦନ କରାଯାଇଥିଲା । ଏଥିପାଇଁ ବ୍ଳକ ଠାରୁ ଏନଏସି ନିର୍ବାହୀ ଅଧୀକାରୀ ଆଉ ଜିଲ୍ଲାପାଳ, ସମସ୍ତଙ୍କୁ ମାଳ ମାଳ ଲିଖିତ ଅଭିଯୋଗ କରିଥିଲେ ଶରତ । ହେଲେ ଘର ଖଣ୍ଡିଏ ପାଇବା ସ୍ୱପ୍ନ ହୋଇଗଲା । ସେପଟେ ଜିଲ୍ଳାପାଳ ଏହି ଘଟଣାରେ ସମବେଦନା ଜଣାଇବା ସହ ପ୍ରଶାସନିକ ତୃଟିର କାରଣ ଖୋଜିବେ ବୋଲି କହିଛନ୍ତି । ସରକାରୀ ଘର ଖଣ୍ଡିଏ ପାଇଁ ସଂଘର୍ଷ ଆଉ ଆତ୍ମହତ୍ୟା । ପୁରା ଘଟଣାକ୍ରମ ସରକାରୀ ବିଧି ବ୍ୟବସ୍ଥା ଉପରେ ଲଗାଇଛି ଏକ ବଡ ପ୍ରଶ୍ନ ଚିହ୍ନ ।