କଳାଟଙ୍କା ପ୍ରସଙ୍ଗରେ ଆଜି କଟକରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ : ବିଭିନ୍ନ ବିଭାଗର ତଦନ୍ତ ଓ ଅନୁସନ୍ଧାନ ସଂପର୍କିକ ଷ୍ଟାଟସ ରିପୋର୍ଟ ବୈଠକରେ ହେବ ଉପସ୍ଥାପିତ

25

କନକ ବ୍ୟୁରୋ : କଳାଟଙ୍କା କାରବାର ପ୍ରସଙ୍ଗ ତଦନ୍ତ କରୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି କଟକରେ ବସିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଏହି କମିଟି ଗଠନ କରିଛନ୍ତି । ଏସଆଇଟିର ଏହି ବୈଠକ ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ତାଙ୍କ କଟକସ୍ଥିତ ବାସଭାବନରେ ବସିବ । ଏଥିରେ ସିବିଆଇ, ଆୟକର ବିଭାଗ, ଇଡି, ରାଜ୍ୟ କ୍ରାଇମବ୍ରାଂଚ, ରାଜ୍ୟ ପୁଲିସ ବିଭାଗ ଭିଜଲାନ୍ସ ବିଭାଗ, ଖଣି ବିଭାଗ, ଏକ୍ସାଇଜ ଓ କଷ୍ଟମସ ବିଭାଗ ଏବଂ ବାଣିଜ୍ୟକର ବିଭାଗ ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସଙ୍ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସଂପର୍କିତ ଅପଡେଟ୍ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପପନ କରାଯିବ ।

ଏଥିରେ କଳାଧନ ଉପରେ ବି ଆଲୋଚନା ହେବ । ଏହାଛଡା ଧଳସାମନ୍ତ ଓ ସାରଥି ଓ ସୁରବାବାଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦ କ୍ଷେପ ଉପରେ ଆଲୋଚନା ହେବ । ଏଥିରେ ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ବେଆଇନ୍ ଖଣି କରାରବାର, ମାଫିଆ, ଡନ୍, ଧାର୍ମିକ ଗୁରୁଙ୍କ କଳାଧନ କାରବାର, ବିଭିନ୍ନ କାରବାରରେ ଚିଟଫଣ୍ଡ ଟଙ୍କାର ବିନିଯୋଗ, ରିଅଲ ଇଷ୍ଟେଟ, ଘରୋଇ ଶିକ୍ଷା ଅନୁଷ୍ଠାନ ଓ ଚ୍ୟାରିଟେବଲ୍ ଟ୍ରଷ୍ଟ୍ରେ କଳାଧନ ପ୍ରସଂଗ ସହିତ ବିଭିନ୍ନ ବ୍ୟାଙ୍କ୍ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯିବ। ଭ୍ରଷ୍ଟାଚାର, କଳାଧନ ଓ ଜାଲ୍ ନୋଟ୍ କାରବାର ଉପରେ ସର୍ଜିକାଲ ଷ୍ଟ୍ରାଇକ ପରେ ପରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର କଳାଟଙ୍କା  ଜବତ ଘଟଣା ସହିତ ବିଭିନ୍ନ ବ୍ୟାଙ୍କରେ ଜମା ଥିବା କଳାଧନ ସଂପର୍କରେ ତର୍ଜମା କରାଯିବ ।