କଂଗ୍ରେସର ହାତ ଛାଡିପାରନ୍ତି ସାଲେପୁର ବିଧାୟକ! ବିଜେଡି ନୁହେଁ ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି ପ୍ରକାଶ, ବଦଳିବ କି ସାଲେପୁର ସମୀକରଣ?

928

କନକ ବ୍ୟୁରୋ : କଂଗ୍ରେସ ଛାଡିପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସ ଛାଡିବା ପରେ ବିଜେଡି ନୁହେଁ ବରଂ ବିଜେପିକୁ ପ୍ରକାଶ ପ୍ରଥମ ପସନ୍ଦ ଭାବେ ରଖିଥିବା ଚର୍ଚ୍ଚା ହେଉଛି । ଖୁବଶୀଘ୍ର କଂଗ୍ରେସର ହାତ ଛାଡି ପଦ୍ମ ଧରିପାରନ୍ତି ପ୍ରକାଶ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ବିଜେପିର ଥିଙ୍କଟ୍ୟାଙ୍କକ ସହ ପ୍ରକାଶ ଯୋଗାଯୋଗରେ ଥିବା ସୁତ୍ରରୁ ଖବର ମିଳିଛି ।

ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା । ପ୍ରକାଶ ମଧ୍ୟ ଏହାକୁ ସିଧାସଳଖ ଖଣ୍ଡନ କରିନଥିଲେ ମଧ୍ୟ ଏନେଇ ସ୍ପଷ୍ଟ ସଂକେତ ମଧ୍ୟ ଦେଇନଥିଲେ । ଏପରିକି ବିଭିନ୍ନ ସମୟରେ ନବୀନଙ୍କ ଫଟୋ ସହ ପ୍ରକାଶଙ୍କର ଫଟୋ ଥିବା ହୋର୍ଡିଂ ଓ ବ୍ୟାନର ସାଲେପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହାଛଡା ପ୍ରକାଶ ମଧ୍ୟ ବିନା ଦଳୀୟ ଚିହ୍ନରେ ଏକ ବଡ ରାଲି କରିଥିବାର ଦେଖିବାକୁ ମିଳିଥିଲା । ଯାହା ପ୍ରକାଶଙ୍କ ବିଜେଡିକୁ ଆସିବା ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ଏଭଳି ପୂର୍ବାନୁମାନ ଏବେ ଭୁଲ ହେବାକୁ ଯାଉଛି । ପ୍ରକାଶ ସବୁଜ ଗଡରେ ଏଣ୍ଟ୍ରି କରିବା ବଦଳରେ ଗେରୁଆ ରଙ୍ଗରେ ନିଜକୁ ରଙ୍ଗୀନ କରିବାକୁ ଅଣ୍ଟା ଭିଡିଥିବା ଚର୍ଚ୍ଚା ହେଉଛି ।

ବିଜେଡି ଅପେକ୍ଷା ବିଜେପି ପ୍ରକାଶଙ୍କ ପାଇଁ ଅଧିକ ସେଫ୍ ଜୋନ ବୋଲି ଏକ ରିପୋର୍ଟ ପାଇବା ପରେ ପ୍ରକାଶ ଏଭଳି ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାଛଡା ଜାତୀୟ ଦଳ ବଦଳରେ ଜାତୀୟ ଦଳକୁ ଯିବାକୁ ପ୍ରକାଶ ପ୍ରୟାସ ଚଳାଇଥିବା ଚର୍ଚ୍ଚା ହେଉଛି । ଯଦି ପ୍ରକାଶ ବିଜେପିରେ ଯୋଗ ଦିଅନ୍ତି ତେବେ ସାଲେପୁର ସମୀକରଣରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ।