ବିପଦ ସାଜୁଛି ଗଙ୍ଗାର ପାଣି ! ନଦୀକୂଳର ଲୋକଙ୍କୁ ହେଉଛି ଗଲ ବ୍ଲାଡର କ୍ୟାନସର ।

161

ଗଙ୍ଗା ନିକଟବର୍ତ୍ତୀ ସହର ଗୁଡିକରେ ଗଲ ବ୍ଲାଡର କ୍ୟାନସର ହେଉଥିବାର ସର୍ବାଧିକ ଘଟଣା ସାମ୍ନାକୁ ଆସିଛି । ଜେକେ କ୍ୟାନ୍ସର ସଂସ୍ଥାନରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଏଥିରେ ଅଧିକାଂଶ ମାମଲା କାନପୁର, ଆଲ୍ଲାହାବାଦ ଏବଂ ବାରାଣାସୀର ଅଟେ । ତେବେ ଏହାର କାରଣ ଗଙ୍ଗା ନଦୀରେ ବଢୁଥିବା ପ୍ରଦୂଷଣ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ, ଉତ୍ତର ଭାରତର ପ୍ରମୁଖ ସହର ଗୁଡିକ ଗଙ୍ଗା ତଟରେ ଅବସ୍ଥିତ । କିନ୍ତୁ ଏହି ପ୍ରମୁଖ ସହରଗୁଡିକ ହିଁ ଗଙ୍ଗାକୁ ପ୍ରଦୂଷିତ କରୁଛନ୍ତି ।

ତେବେ ଏଚବିସିଆରକୁ ଦେଶର ପ୍ରମୁଖ କ୍ୟାନ୍ସର ସଂସ୍ଥା ଗୁଡିକ ବିଭିନ୍ନ ପ୍ରକାର କ୍ୟାନ୍ସର ରୋଗୀଙ୍କର ନମୂନା ପଠାଇଥାନ୍ତି । ଏଠାରେ ଥିବା ବିଶେଷଜ୍ଞ ମାନେ ଅନଲାଇନ ମନିଟରିଂ ଜରିଆରେ ଜେକେ କ୍ୟାନ୍ସର ସଂସ୍ଥାନରୁ ସର୍ବାଧିକ ଗଲ ବ୍ଲାଡର କ୍ୟାନସର ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏବଂ ଏହା ସହ ସଂସ୍ଥାନର ନୋଡାଲ ଅଫିସର ଡା. ଶରଦ ସିଂହଙ୍କ ସହ ସମ୍ପର୍କ କରି ଘଟଣାର କାରଣ ଜାଣିବାକୁ ଚେଷ୍ଟା କରାଯାଇଥିଲା ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଇରାନରୁ ନେଇ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ୭୦୦ କିଲୋମିଟର ଅଞ୍ଚଳରେ ଗଲ ବ୍ଲାଡର କ୍ୟାନସର ଅଧିକ ମିଳିଥିଲା । ଜେକେ କ୍ୟାନ୍ସର ସଂସ୍ଥାନର ଓପିଡିରେ ପ୍ରତିଦିନ ୧୫୦ ରୁ ୨୦୦ ରୋଗୀ ଆସିଥାନ୍ତି । ଏମାନଙ୍କ ମଧ୍ୟରୁ କ୍ୟାନ୍ସର ରୋଗୀ ୫୦ ରୁ ୬୦ ଜଣ ରହିଥାନ୍ତି । ଯେଉଁଥିରେ ୧୦ ଜଚ୍ଚରୁ ୧୨ ଜଣ ରୋଗୀ ଗଲ ବ୍ଲାଡର କ୍ୟାନ୍ସରର ହୋଇଥାନ୍ତି । ତେବେ ୨୦୧୪ ମସିହାରେ ମୋଟ ୭୦୫ ଜଣ ଗଲ ବ୍ଲାଡର କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୫ ମସିହାରେ ୮୦୮ଜଣ, ୨୦୧୬ ମସିହାରେ ୯୫୦ ଜଣ ଏବଂ ୨୦୧୭ ମସିହାରେ ୧୨୦୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ଗଲ ବ୍ଲାଡର କ୍ୟାନସର ବୃଦ୍ଧା ଲୋକମାନଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଛି । ଏହା କୌଣସି ଲକ୍ଷଣ ନଥିବା କାରଣରୁ ଏହା ବିଳମ୍ବରେ ଚିହ୍ନଟ ହୋଇଥାଏ । ତେବେ ଏହି ଗଲ ବ୍ଲାଡର କ୍ୟାନସର ମହାମାରୀର ରୂପ ନେଲାଣି । ଯୁବାବସ୍ଥାରେ ମଧ୍ୟ ଲୋକମାନେ ଏହାର ଶିକାର ହେଉଛନ୍ତି । ଏଥିପାଇଁ ଏହି ରୋଗର କାରଣ ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ । ଏଥି ପ୍ରତି ହେଉଥିବା ଅଧ୍ୟୟନକୁ ଆଗକୁ ବଢାଇବାର ଆବଶ୍ୟକତା ରହିଛି ଯେପରିକି ରୋଗୀମାନଙ୍କୁ ଏହାର ଫାଇଦା ମିଳିପାରିବ ।