ଦମ ଦେଖାଇଲା ଓଡ୍ରାଫ ଟିମ୍ । ପାଣି ଭିତରେ କାନ୍ଧରେ ବୋହି ଗ୍ରାମବାସୀଙ୍କୁ କଲେ ଉଦ୍ଧାର

29

କନକ ବ୍ୟୁରୋ : ପ୍ରବଳ ବର୍ଷା ତାଣ୍ଡବ ରଚିଛି ସମ୍ବଲପୁରରେ । ପାଣିରେ ବୁଡି ଯାଇଛି ଗାଁ । ଘରଦ୍ୱାର ଭାସିଯାଇଛି । ଆଉ ସେହି ପାଣିର ସ୍ରୋତରୁ ଉଦ୍ଧାର ହୋଇଛି ଜୀବନ । ଲୋକଙ୍କୁ ବନ୍ୟା ଜଳରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ । ସେପଟେ ଆଜି କୁଆଖାଇ ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ୨ ଘଂଟାର ଅପରେସନ ପରେ ଅଗ୍ନିଶମ କର୍ମଚାରୀ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ।

ରବିବାର ରାତିରେ ତାଣ୍ଡବ ରଚୁଥିଲା ପ୍ରଳୟଙ୍କରୀ ବର୍ଷା । ଆଉ ସେହି ବର୍ଷାର ବିତ୍ପାତକୁ ପଛରେ ପକାଇ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ବନ୍ୟା ଜଳର ସ୍ରୋତରୁ ଲୋକଙ୍କୁ ଉଦ୍ଧାର କରିବାକୁ ଅଂଟା ଭିଡିଥିଲା ଓଡ୍ରାଫ୍ ଟିମ୍ । କାନ୍ଧରେ ଗାଁଲୋକଙ୍କୁ ବୋହି ଜଣକ ପରେ ଜଣକୁ ପାର୍ କରାଉଥିଲେ ନଇର ପ୍ରବଳ ସ୍ରୋତରୁ । ଏଭଳି ଘଟଣା ସମ୍ବଲପୁର କୁଲେରଜୋର ନିକଟ ଭୋଇଟିକରାର ଦେଖିବାକୁ ମିଳିଥିଲା । ଗାଁକୁ ଲାଗି ଯାଇଛି ବିରାଟ ନାଳ । ରାତିରେ ଖାଇସାରି ଲୋକେ ଶୋଇବାକୁ ଯିବା ବେଳକୁ ଗାଁକୁ ଘେରିଯାଇଥିଲା ବନ୍ୟା ଜଳ । ଆଉ ଚାହୁଁ ଚାହୁଁ ଭାସିଯାଇଥିଲା ଗାଁ ।

ଏପଟେ ସେହି ଗାଁରେ ମାଆକୁ ବଂଚାଇବାକୁ ଯାଇ ବୁଡିଯାଇଛି ଝିଅ । ରାତିରେ ୬୦ ବର୍ଷୀୟ ଫୁଲତୁଲୀ ଓ ଝିଅ ତପସ୍ୱୀନି ଶୋଇଥିବା ବେଳେ ହଠାତ୍ ପାଣି ମାଡିଆସିଲା । ଘର ବୁଡିଯିବାରୁ ଉଭୟେ ଗଛକୁ ଚଢିଗଲେ । ହେଲେ ଗଛଟି ମଧ୍ୟ ବୁଡିଯିବାରୁ ଦୁହେଁ ପାଣିରେ ଭାସିଯାଇଥିଲେ । ଆଉ ମାଆକୁ ପାଣିରୁ ବଂଚାଇବାକୁ ଯାଇ ଭାସିିଯାଇଥିଲା ଝିଅ ।

ଅନ୍ୟପଟେ ଆଜି ଭୁବନେଶ୍ୱର କୁଆଖାଇ ବ୍ରିଜ୍ ଉପରୁ ନଇକୁ ଡେଇଁପଡିଲେ ଜଣେ ମହିଳା । ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଁଚିଗଲେ ଅଗ୍ନିଶମ କର୍ମଚାରୀ । ବୋଟ୍ ସାହାର୍ଯ୍ୟରେ ଆରମ୍ଭ ହେଲା ଅପରେସନ୍ । ଗଭୀର ପାଣି ଭିତରେ ଖୋଜାଗଲା ମହିଳାଙ୍କୁ । ଆଉ ୨ ଘଂଟାର ସର୍ଚ ଅପରେସନ୍ ପରେ ବାଙ୍କୁଆଳ ନିକଟରୁ ପାଣି ଭିତରୁ ମହିଳାଙ୍କୁ ଉଦ୍ଧାର କରାଗଲା ।