ରାଜ୍ୟସଭାରେ ଏଲପିିଜି ତାତି ! ସବସିଡ଼ି ପ୍ରତ୍ୟାହାର ପ୍ରସ୍ତାବ ପ୍ରତିବାଦରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବୀ

25

କନକ ବ୍ୟୁରୋ : ଏଲପିଜି ସବସିଡି ବନ୍ଦ କରି ପ୍ରତ୍ୟେକ ମାସରେ ମୂଲ୍ୟବୃଦ୍ଧି ପାଇଁ କେନ୍ଦ୍ରର ନିଷ୍ପତିକୁ ବିରୋଧ କରିଛି ବିରୋଧୀ ଦଳ । ବିରୋଧୀ ଦଳ ଏହାକୁ ନେଇ ଆଜି ପାର୍ଲାମେଂଟରେ ସରକାରଙ୍କୁ ଘେରିଛନ୍ତି । ହଙ୍ଗାମା କାରଣରୁ ରାଜ୍ୟସଭାକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସବସିଡି ଗରିବଙ୍କ ପାଇଁ ଧନୀଙ୍କ ପାଇଁ ନୁହେଁ । ୨୦୧୦ରେ ଏ ନେଇ ମନ୍ତ୍ରୀସମୂହ ଗଠନ କରାଯାଇଥିଲା । ଏହାର ଅଧ୍ୟକ୍ଷ ଥିଲେ ପ୍ରଣବ ମୁଖାର୍ଜୀ । ଏହି କମିଟି ସବସିଡିକୁ ଧୀରେ ଧୀରେ କମାଇବାକୁ ସୁପାରିଶ କରିଥିଲା । ପ୍ରଥମେ ଦେଶରେ ୧୪ କୋଟି ସିଲିଣ୍ଡର ଥିଲା । ଏବେ ଏହା ବଢି ୨୨ କୋଟି ହେଲାଣି ।
ସୂଚନାଯୋଗ୍ୟ ଆସନ୍ତାବର୍ଷରୁ ମହଙ୍ଗା ହେବ ରୋଷେଇ ଗ୍ୟାସ । କାରଣ ମାର୍ଚ୍ଚ ସୁଦ୍ଧା ରନ୍ଧନ ଗ୍ୟାସ ଉପରୁ ସବସିଡିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଲୋକସଭାରେ ଗତକାଲି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ । ଏପରିକି ଗତ ଜୁନରୁ ପ୍ରତିମାସରେ ସିଲିଣ୍ଡର ପିଛା ୪ଟଙ୍କା ଲେଖାଏଁ ଦର ବୃଦ୍ଧି କରିବାକୁ ତୈଳ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦିଆସରିଛି ।

ଏହି ନିର୍ଦ୍ଦେଶ ମିଳିବା ପରଠାରୁ ଦୁଇଥର ଦର ବୃଦ୍ଧି ହୋଇସାରିଲାଣି । ପୂର୍ବ ନିର୍ଦ୍ଦେଶ ଅନୁସାରେ ୨୦୧୬ ଜୁଲାଇରୁ ସିଲିଣ୍ଡର ପିଛା ପ୍ରତିମାସ ୨ ଟଙ୍କା ଲେଖାଏ ଦର ବୃଦ୍ଧି କରୁଥିଲେ ତୈଳ କମ୍ପାନି । ତେବେ ଗତ ଜୁଲାଇରେ ଏକାଥରକେ ସିଲିଣ୍ଡର ପିଛା ଦର ୩୨ ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ଗତ ୬ବର୍ଷରେ ସର୍ବାଧିକ । ଏବେ ଗୋଟିଏ ସଂଯୋଗ ପିଛା ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ସବସିଡି ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ।