ରାଜକନିକାର କରୁଣ କାହାଣୀ : ଖେଳକୁଦରେ ସମୟ ବିତାଇବା ବୟସରେ କ୍ୟାନସର ସହ ଲଢ଼େଇ କରୁଛନ୍ତି ପ୍ରଶାନ୍ତ

29

କନକ ବ୍ୟୁରୋ : ରାଜକନିକାର କରୁଣ କାହାଣୀ । ଖେଳକୁଦରେ ସମୟ ବିତାଇବା ବୟସରେ ପ୍ରଶାନ୍ତଙ୍କୁ ଲଢ଼ିବାକୁ ପଡୁଛି କ୍ୟାନସରର ଲଢ଼େଇ । ବହୁ କଷ୍ଟରେ ମାଟ୍ରିକ ପାସ କରିବା ପରେ ଏବେ ଚିକିତ୍ସା ପାଇଁ ଟଙ୍କା ନାହିଁ ପରିବାର ପାଖରେ । ପାଠପଢ଼ାରେ ଡୋରି ଲାଗିଥିବା ବେଳେ ଏବେ କେବଳ ସରକାରୀ ସାହାଯ୍ୟକୁ ଅପେକ୍ଷା ।

ଅସହାୟ ଆଖିରେ ଜୀବନ ଯନ୍ତ୍ରଣା । ଆଗକୁ ବଢ଼ିବାର ଇଚ୍ଛା ଅଛି, କିନ୍ତୁ ଅର୍ଥ ଆଉ ମାରତ୍ମକ ରୋଗ ସାଜିଛି ରାସ୍ତାର ପ୍ରତିବନ୍ଧକ । କଅଁଳ ବୟସରେ ପ୍ରଶାନ୍ତ ଲଢ଼ୁଛନ୍ତି କ୍ୟାନସର ସହ । କିନ୍ତୁ ଚିକିତ୍ସା ପାଇଁ ପରିବାର ପାଖରେ ନାହିଁ ଯଥେଷ୍ଟ ଅର୍ଥ । ଛାତିକୁ ଦୋହଲାଇଦେବା ଭଳି ଏହି କାହାଣୀ କେନ୍ଦ୍ରାପଡ଼ା ରାଜନଗର ଓଳାଭର ଗାଁର ଦିନମଜୁରିଆ କାହୁଚରଣଙ୍କର । ପୁଅ ପ୍ରଶାନ୍ତଙ୍କୁ କ୍ୟାନସର ହୋଇଥିବା ଜଣା ପଡ଼ିବା ପରେ କାହ୍ନୁଚରଣ ପାଖରେ ଯାହା ଟଙ୍କା ଥିଲା କଟକ ବଡ଼ ମେଡ଼ିକାଲରେ ଖର୍ଚ୍ଚ କରିଥିଲେ କିନ୍ତୁ ଟଙ୍କା ସରିଯିବା ପରେ କାହ୍ନୁଚରଣଙ୍କ ହାତ ଖାଲି ଆଉ ଅଧାରେ ରହିଯାଇଛି ପ୍ରଶାନ୍ତଙ୍କ ଚିକିତ୍ସା ।

ଅଭାବ ଅସୁବିଧା ଭିତରେ ଅପେକ୍ଷା ଏବେ କେବଳ ସରକାରୀ ସହାୟତାକୁ । କାରଣ ଦିନମଜୁରିଆ କାହ୍ନୁଚରଣ ସହାୟତା ରାଶି ପାଇଲେ ପୁଅର କରିବେ ଚିକିତ୍ସା । ସେପଟେ ଖବର ପାଇବାରୁ ଘଟଣାସ୍ଥଳ ପହଂଚି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ରାଜକନିକା ବିଡ଼ିଓ କହିଛନ୍ତି ।

ମୃତ୍ୟୁକୁ ହରାଇବାର ସାହସ ରଖନ୍ତି ରାଜକନିକାର ପ୍ରଶାନ୍ତ । କିନ୍ତୁ ଏ ଲଢ଼େଇରେ ଯେତେ ଦରକାର ମନୋବଳ ଠିକ୍ ସେତିକି ଅର୍ଥ ମଧ୍ୟ । ଆଶା ପ୍ରଶାନ୍ତଙ୍କୁ ଖୁବଶୀଘ୍ର ମିଳିବ ସରକାରୀ ସହାୟତା ।