ପୁଣି ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ପ୍ରୟାସ : ୧୯ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ,୨୦ରେ ସାଂସଦଙ୍କ ସହ ମନ୍ତ୍ରଣା

186

କନକ ବ୍ୟୁରୋ : ଏକ ଦେଶ ଏକ ନିର୍ବାଚନ ମୁଦ୍ଦା ଉପରେ ମୋଦିଙ୍କ ଗୁରୁତ୍ୱ । ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କ୍ଷମତାକୁ ଆସିବା ପରେ ଏକ ରାଷ୍ଟ୍ର-ଏକ ନିର୍ବାଚନ ପ୍ରସଙ୍ଗ ପୁଣି ଥରେ ଜୋର ଧରିଛି । ଦେଶରେ ଏକ ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବା ଉଦ୍ଦେଶ୍ୟ ନେଇ ସର୍ବଦଳୀୟ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥ ଓ ମାନବ ସମ୍ବଳ ଅପଚୟରୁ ରକ୍ଷା ପାଇବା ପାଇଁ ଦେଶରେ ଏକ ଦେଶ ଏକ ନିର୍ବାଚନ କରାଇବା ପାଇଁ ପ୍ରୟାସ କରୁଛନ୍ତି ମୋଦି ସରକାର । ୧୯ ତାରିଖରେ ସମସ୍ତ ରାଜନୈତିକ ଦଳଙ୍କ ସହ ବୈଠକ ଆହ୍ୱାନ କରିଛନ୍ତି ମୋଦି । ୨୦ ଜୁନରେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ସହ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ।

ସମଗ୍ର ଦେଶରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗରେ କରିବା ପାଇଁ ସରକାରଙ୍କ ଏଜେଣ୍ଡାରେ ଥିବାବେଳେ ଏ ନେଇ ପ୍ରୟାସକୁ ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ନବନିର୍ବାଚିତ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ୧୬ ଜୁନରେ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ଅଧିବେଶଷର ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିବା ପାଇଁ ବିରୋଧୀଙ୍କ ସହଯୋଗ ମାଗିଥିଲେ । ଏଥିମଧ୍ୟରେ ତିନି ତଲାକ୍ ବିଲ ପାଇଁ ଗତ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁରୀ ଦେଇଛନ୍ତି ।

ଦେଶରେ ପୁଣି ଥରେ ଲୋକସଭା ଓ ବିଧାନସଭାର ଏକକ ନିର୍ବାଚନ କରିବା ମୋଦି ସରକାରଙ୍କ ପ୍ରସ୍ତାବରେ ବିରୋଧି ଦଳ ଆଗ୍ରହୀ ନୁହଁନ୍ତି । କଂଗ୍ରେସ ସର୍ବଦା ଏକ ଦେଶ ଏକକ ନିର୍ବାଚନକୁ ବିରୋଧ କରିଆସିଛି । ବିରୋଧ କରିବା ନାଁରେ ବିରୋଧ ରାଜନୀତି କିଛି ନୂଆକଥା ନୁହେଁ । ଗତ ବର୍ଷ ମଧ୍ୟ ଏହି ମୁଦ୍ଦା ନେଇ ବେଶ୍ ତର୍କବିତର୍କ ହୋଇଥିଲା । ଆଉ କଂଗ୍ରେସ ଏହାର କଡ଼ା ବିରୋଧ କରୁଥିଲା । କଂଗ୍ରେସ ଅନୁସାରେ ଭାରତୀୟ ସଂଘବାଦ ଭାବନା ବିରୋଧରେ ଏକ ଦେଶ ଏକ ନିର୍ବାଚନ । ତେବେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ରଷ୍ଟ୍ର-ଏକ ନିର୍ବାଚନ ପ୍ରସଙ୍ଗକୁ ସମର୍ଥନ କରିଥିଲେ । ଏହି ଦୃଷ୍ଟରୁ ଆସନ୍ତା ୧୯ ତାରିଖର ବୈଠକ ଅନେକ ଦୃଷ୍ଟିରୁ ମହତ୍ୱ ରଖୁଛି ।

ଅନ୍ୟପଟେ ଏକ ଦେଶ ଏକ ନିର୍ବାଚନ ନେଇ ମୋଦିଙ୍କ ବିଚାରଧାରା କିନ୍ତୁ ବିଲକୁଲ ଭିନ୍ନ । ଦେଶର ସୁରକ୍ଷା କର୍ମୀ ଆଇନ ଶୃଙ୍ଖଳା ଛାଡି ନିର୍ବାଚନ ପାଇଁ ବର୍ଷ ସାରା ବ୍ୟସ୍ତ ରହୁଛନ୍ତି । ଅଯଥାରେ ଟଙ୍କା ଖର୍ଚ୍ଚ ହେବାସହ ସମୟ ମଧ୍ୟ ଅପଚୟ ହେଉଛି । ଏଦିଗରେ ସଂସ୍କାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦେଶ ଏକ ନିର୍ବାଚନ ଉପରେ ଜୋର ଦେଉଛନ୍ତି ।