ସାବାଡ଼ ହେବେ ରେଳବିଭାଗର ଅଧିକାରୀ ! ଟ୍ରେନ ଚଳାଚଳରେ ବିଳମ୍ବ ହେଲେ ପ୍ରଭାବିତ ହେବ ରେଳ ଅଧିକାରୀଙ୍କ ପ୍ରମୋସନ

33

ଏଣିକି ଆଉ ବୋଧହୁଏ ବିଳମ୍ବରେ ଚଳାଚଳ କରିବନି ଟ୍ରେନ । ବାରମ୍ବାର ଟ୍ରେନ ଚଳାଚଳରେ ବିଳମ୍ବ ହେଉଥିବାରୁ ରେଳବିଭାଗର କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ । ଏଣିକି ନିର୍ଦ୍ଧାରିତ ସମୟ ମଧ୍ୟରେ ଟ୍ରେନ୍ ଚଳାଚଳ ନ କଲେ କି, ବିଳମ୍ବ ହେଲେ ସମ୍ପୃକ୍ତ ଅଧିକାରୀମାନଙ୍କର ପଦୋନ୍ନତି ପ୍ରଭାବିତ ହେବ।ଏଭଳି କରି ରେଳବାଇ ଅଧିକାରୀଙ୍କୁ ସମୟାନୁବର୍ତ୍ତୀ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।

ଏଥିପାଇଁ ପ୍ରତି ଜୋନାଲ୍ ରେଳବାଇ ମୁଖ୍ୟମାନଙ୍କୁ ଚେତାବନୀ ଦେଇ ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟାଲ୍ କହିଛନ୍ତି ଯେ ଟ୍ରେନ୍ ଚଳାଚଳରେ ବିଳମ୍ବ ହେଲେ ସେମାନଙ୍କର କାର୍ୟ୍ୟ ସମୀକ୍ଷା ପ୍ରଭାବିତ କରିବ। ସମୟାନୁବର୍ତ୍ତିତାର ଉନ୍ନତି ଆଣିବା ପାଇଁ ସରକାର ରେଳବାଇ ଅଧିକାରୀଙ୍କୁ ମାସେ ସମୟ ଦେଇଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ବୈଠକରେ ଗୋୟଲ ଜୋନାଲ୍ ମ୍ୟାନେଜରଙ୍କ ଉପରେ ଉତକ୍ଷିପ୍ତ ହୋଇ କହିଥିଲେ ଯେ ଟ୍ରେନ ଚଳାଚଳର ବିଳମ୍ବ ପାଇଁ ସେମାନେ ମରାମତି ଆଦି କାମର ବାହାନା କରି ପାରିବେ ନାହିଁ।

୨୦୧୭-୧୮ ଆର୍ଥିକ ବର୍ଷରେ ୩୦% ରେଳଗାଡ଼ି ବିଳମ୍ବରେ ଚଳାଚଳ କରିଛି। ଗ୍ରୀଷ୍ମ ଅବକାଶ କାଳରେ ମଧ୍ୟ ଟ୍ରେନ୍ ଚଳାଚଳ ବିଳମ୍ବର ସୀମା ଅତିକ୍ରମ କରିଥିଲା। ତେଣୁ ବୈଠକରେ ମନ୍ତ୍ରୀ ପ୍ରତି ଜୋନାଲ୍ ମୁଖ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ଡାକି ବିଳମ୍ବର କାରଣ ପଚାରି ବୁଝିଥିଲେ।ଆଉ ଏହାପରେ ଏଣିକି ବିଳମ୍ବ ହେଲେ ପଦୋନ୍ନତି ପ୍ରଭାବିତ ହେବ ବୋଲି ରୋକଠୋକ ଶୁଣାଇଛନ୍ତି । ତେଣୁ ଦେଖିବାକୁ ବାକି ରହିଲା, ରେଳମନ୍ତ୍ରୀଙ୍କ ଏହି ଆଦେଶକୁ କିଭଳି ପାଳନ କରୁଛନ୍ତି ବିଭାଗୀୟ ଅଧକିାରୀ ।