ଚିନ୍ତା ବଢାଇବ ତେଲ ଦର: ସାଉଦି ଆରବରେ ଡ୍ରୋନ୍ ଆକ୍ରମଣର ପ୍ରଭାବ; ବିଶ୍ୱ ବଜାରରେ ୧୩% ବଢିଲାଣି ଅଶୋଧିତ ତୈଳ ଦାମ

ପ୍ରଭାବରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦାମ୍ ରେ ବୃଦ୍ଧି; ମାସକ ଭିତରେ ବଢିପାରେ ୫ ରୁ ୬ ଟଙ୍କା

427

କନକ ବ୍ୟୁରୋ: ପୁଣି ଖାଉଟିଙ୍କ ଚିନ୍ତା ବଢାଇପାରେ ତେଲ ଦର । ସାଉଦି ଆରବରେ ତେଲ କାରଖାନା ଉପରେ ଆମେରିକାର ଡ୍ରୋନ୍ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ନିଆଁ ଲାଗିଛି । ଏହାର ପ୍ରଭାବ ସିଧାସଳଖ ପଡିଛି ଭାରତ ଉପରେ । ସାଉଦି ଆରବରେ ତୈଳ ଆମଦାନୀ କମିବା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ପ୍ରାୟ ବ୍ୟାରେଲ ପିଛା ପ୍ରାୟ ୧୩ ପ୍ରତିଶତ ଦାମ୍ ବୃଦ୍ଧି ହେବା ପରେ ଭାରତୀୟ ବଜାରରେ ଏହାର ପ୍ରଭାବ ପଡିଛି । ଏଥିଯୋଗୁଁ ଭାରତରେ ପେଟ୍ରୋଲରେ ୧୪ ଓ ଡିଜେଲରେ ୧୫ ପଇସା ବୃଦ୍ଧି ହୋଇଛି । ମଙ୍ଗଳବାର ମଧ୍ୟରାତ୍ରିରୁ ଏହି ନୂଆ ଦାମ ଲାଗୁ ହୋଇଯାଇଛି ।

ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୨ ଟଙ୍କା ୧୭ ପଇସା ଓ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି ହୋଇ ୬୫ ଟଙ୍କା ୬୮ ପଇସା ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦାମରେ ୧୬ ପଇସା ବୃଦ୍ଧି ହେଲାପରେ ଦାମ୍ ୭୧ ଟଙ୍କା ୨୬ ପଇସା ହୋଇଛି । ଡିଜେଲ ଲିଟର ପିଛା ୧୯ ପଇସା ବୃଦ୍ଧି ହେବା ପରେ ଲିଟର ପିଛା ଡିଜେଲ ଦାମ୍ ୭୦ ଟଙ୍କା ୪୦ ପଇସା ହୋଇଛି । ଭାରତ ନିଜର ଆବଶ୍ୟକତା ପୂରଣ ପାଇଁ ସାଉଦି ଆରବ ଠାରୁ ଆବଶ୍ୟକତାର ପ୍ରାୟ ୮୩ ପ୍ରତିଶତ ତୈଳ ଆମଦାନୀ କରିଥାଏ ।

ଡ୍ରୋନ୍ ଆକ୍ରମଣ ପରେ ଭାରତର ତୈଳ ଆମଦାନୀ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇପାରେ । ଏଭଳି ସ୍ଥିତିରେ ତଲ ଦାମରେ ପ୍ରାୟ ୫ରୁ ୬ ଟଙ୍କା ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି । ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦାମ୍ ବଢିବା ସହିତ ଭାରତରେ ଏହି ଦାମ୍ ବଢିବ । ସାଉଦିରେ କ୍ଷତିଗ୍ରସ୍ତ ହୋଇଥିବା ତୈଳ କାରଖାନା ମରାମତି ପ୍ରାୟ ମାସେ ଲାଗିଯିବ । ତେଣୁ ଏହା ମଧ୍ୟରେ ତୈଳ ଦର ପୁଣି ଥରେ ଆକାଶଛୁଆଁ ହେବ ବୋଲି ଅନୁମାନ କରୁଛନ୍ତି ବଜାର ବିଶେଷଜ୍ଞ ।