ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ । ମୋହାଲିରେ ହେବ ମହାମୁକାବିଲା, ମ୍ୟାଚରେ ବର୍ଷା ସାଜିପାରେ ବାଧକ ।

598

କନକ ବ୍ୟୁରୋ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି ୨୦ ସିରିଜର ଦ୍ୱିତୀୟ ଟି ୨୦ ମ୍ୟାଚ୍ । ମୋହାଲିରେ ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ । ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି ୨୦ ବର୍ଷାରେ ଧୋଇ ଯାଇଥିଲା । ତେଣୁ ମୋହାଲି ଟି ୨୦ ଉପରେ ଦୁଇ ଦଳର ନଜର ରହିଛି । ତେବେ ଏହି ମ୍ୟାଚ୍ ପାଇଁ ବର୍ଷା ଉପରେ ରହିଛି ନଜର । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ଦ୍ୱିତୀୟ ମ୍ୟାଚକୁ ନେଇ ମଧ୍ୟ ଆଶଙ୍କା ରହିଛି । ଘରୋଇ ମାଟିରେ ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେଭରିଟ୍ ରହିବ । ମ୍ୟାଚ୍ ପାଇଁ ପୁରା ରଣନୀତିରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଆଗକୁ ଟି ୨୦ ବିଶ୍ୱକପ୍ ଥିବାରୁ ଏଥିପାଇଁ ଟିମ୍ ଇଣ୍ଡିଆର ଯୁବ ଖେଳାଳିଙ୍କ ପାଇଁ ଏହି ମ୍ୟାଚ୍ ନିଜର ପ୍ରତିଭା ପ୍ରଦର୍ଶନ ଦେଖାଇବା ପାଇଁ ବଡ ସୁଯୋଗ ବୋଲି କହିଛନ୍ତି କ୍ୟାପଟେନ୍ କୋହଲି । ସେପଟେ ଏହି ଟି ୨୦ରେ ପ୍ରଦର୍ଶନକୁ ନେଇ ଚାପରେ ରହିବେ ୱିକେଟ୍ କିପର ବ୍ୟାଟସମ୍ୟାନ୍ ରିସଭ୍ ପନ୍ତ । ପନ୍ତ କ୍ରମାଗତ ସୁଯୋଗ ପାଇଥିଲେ ମଧ୍ୟ ବଡ ସ୍କୋର କରିପାରୁନଥିବାରୁ ଚାପରେ ରହିବେ । ମୋହାଲି ପିଚ୍ ବ୍ୟାଟିଂ ପାଇଁ ସୁହାଉଥିବାରୁ ଏଠାରେ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଭାରତ ଏକାଦଶ (ସମ୍ଭାବ୍ୟ): ବିରାଟ‌ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ/କେଏଲ୍ ରହୁଲ, ମନୀଷ ପାଣ୍ଡେ, ଋଷବ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା/ରାହୁଲ ଚହର, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ନଭଦୀପ ସଇନି।

ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): କ୍ବିଣ୍ଟନ୍ ଡି’କକ୍ (ଅଧିନାୟକ/ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡେର୍ ଦସେନ୍‌, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକ୍ବାୟୋ, ଡ୍ବାଇନ୍ ପ୍ରିଟୋରିୟସ୍‌, ବର୍ନ ଫର୍ତୁନ/ଆନରିଚ୍‌ ନର୍ଜେ, କାଗିସୋ ରବାଦା, ଜୁନିଆର୍ ଡାଲା, ତାବ୍ରାଇଜ୍‌ ସାସମୀ।