ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ନୂଆମୋଡ ! ନିର୍ବନ୍ଧ ପୂର୍ବରୁ ସୌମ୍ୟଶେଖରଙ୍କୁ ଫୋନରେ ମିଳିଥିଲା ଧମକ

39

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ପାଟ୍ଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ନୂଆ ମୋଡ । ପୁରା ଘଟଣାରେ ପୋଲିସ ପ୍ରେମ ସଂପର୍କ ଆଡକୁ ଇସାରା କରିଥିବାବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବୋମା ବିସ୍ଫୋରଣରେ ଗୁରୁତର ରୀମାଙ୍କ ସହ ମୃତ ସୌମ୍ୟସେଖରଙ୍କର ୧୩ ମାସ ତଳେ ନିର୍ବନ୍ଧ ହୋଇଥିଲା । ହେଲେ ନିର୍ବନ୍ଧ ପୂର୍ବରୁ କେହିଜଣେ ସୌମ୍ୟଶେଖରଙ୍କୁ ଫୋନରେ ଧମକ ଦେଇଥିଲେ ।

ରୀମାଙ୍କ ସହ ନିର୍ବନ୍ଧ ନକରିବାକୁ ଓଡିଆରେ ଧମକ ଦେଇଥିଲେ ଏବଂ ପରେ ଆଉକେବେ ସେଭଳି ଫୋନ କଲ ଆସିନଥିଲା ବୋଲି ସୌମ୍ୟଶେଖରଙ୍କ ବାପା ପୋଲିସକୁ କହିଛନ୍ତି । ଏ ସଂପର୍କରେ ସୌମ୍ୟଶେଖର ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ ବୋଲି ପୋଲିସକୁ ସୂଚନା ଦେଇଛନ୍ତି ତାଙ୍କ ବାପା । ପୁରା ଘଟଣାରେ ଆତଙ୍କବାଦୀ କିମ୍ବା ମାଓବାଦୀ ହାତ ନେଇ ପୋଲିସ ଛାନଭିନ କରୁଥିବାବେଳେ ଏହି ଫୋନକଲ ବଡ ସୁରାଗ ହେବା ଅନୁମାନ କରାଯାଉଛି ।

blast

ସୂଚନାଯୋଗ୍ୟ ଗତ ୨୩ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବ୍ରହ୍ମପୁରାସ୍ଥିତ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ନବବିବାହିତ ପୁତ୍ର ସୌମ୍ୟଶେଖର, ସଂପର୍କୀୟ ଜେଜେ ମା’ ଜେମାମଣିଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ନବବଧୂ ରୀମା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ କଟକ ଏସସିବିରେ ଚିକିତ୍ସାଧୀନ ରହିଛନ୍ତି । ଦୁଇ ଦିନ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପାଟଣାଗଡ଼ ଥାନାର ଜଣେ ମହିଳା ସବଇନସପେକ୍ଟର ରୀମାଙ୍କ ବୟାନ ରେକର୍ଡ ହୋଇଥିଲା । ସ୍ୱାମୀ ସୌମ୍ୟରଂଜନଙ୍କ ସହିତ ତାଙ୍କର ସଂପର୍କ, ଘଟଣା ଘଟିବା ଦିନର ପରିସ୍ଥିତି ଇତ୍ୟାଦି ସମ୍ପର୍କରେ ରୀମା ଓ ତାଙ୍କର ବାପା-ମା’ଙ୍କୁ ମଧ୍ୟ ପଚରାଯାଇଥିଲା । ସ୍ୱାମୀ ସୌମ୍ୟରଂଜନ ଓ ଜେଜେମା’ ମେଡିକାଲରେ ଚିକିତ୍ସାଧୀନ ରହିଥିବା ତାଙ୍କୁ କୁହାଯାଉଛି । ଯଦିଓ ରୀମା ଭଲରେ କଥାବାର୍ତ୍ତା କରିପାରୁନାହାନ୍ତି, ତଥାପି ଅଧିକାଂଶ ସମୟରେ ସେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ଚାହୁଁଛନ୍ତି ।