ଭାରତ ସୀମାରେ ଶକ୍ତି ବୃଦ୍ଧି କରିବ ପାକ୍ ! ୬୦୦ ଟ୍ୟାଙ୍କ୍ କିଣିବା ପାଇଁ ଯୋଜନା

107

କନକ ବ୍ୟୁରୋ : ଭାରତ ସୀମାରେ ଶକ୍ତି ବୃଦ୍ଧି ପାଇଁ ପାକିସ୍ତାନ ଏବେ ବଡ଼ ଯୋଜନା କରୁଛି । ୬୦୦ ଯୁଦ୍ଧ ଟ୍ୟାଙ୍କ୍‌ ଖରିଦ୍‌ କରିବାପାଇଁ ପାକିସ୍ତାନ ଯୋଜନା କରିଛି ଏବଂ ଏଥିରେ ରୁଷ୍‌ ନିର୍ମିତ ମହାଶକ୍ତିଶାଳୀ ଟି-୯୦ ଟ୍ୟାଙ୍କ୍‌ ମଧ୍ୟ ସାମିଲ ରହିଛି । ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ପାକିସ୍ତାନର ଏହି ବିଶାଳ ଖରିଦ ପ୍ରକ୍ରିୟା ଉପରେ ଭାରତ ସତର୍କ ନଜର ରଖିଛି । ଏହା ବ୍ୟତୀତ ଇଟାଲିରୁ ୨୪୫ଟି ୧୫୫ ଏମ୍‌ଏମ୍‌ ଏସ୍‌ପି ମାଇକ୍‌-୧୦ ତୋପ କିଣିବାପାଇଁ ପାକିସ୍ତାନ ସମସ୍ତ ପ୍ରକ୍ରିୟା‌ ‌ଶେଷ କରିଛି । ୧୨୦ଟି ତୋପ ପାକିସ୍ତାନ ହାସଲ ମଧ୍ୟ କରି ସାରିଛି ଏବଂ ଏହାକୁ ଭାରତ ସୀମାରେ ମୁତୟନ କରିବାପାଇଁ ପ୍ରସ୍ତୁତି ଚାଲିଛି ।

ତେବେ ରୁଷ୍‌ରୁ ଟି-୯୦ ଟ୍ୟାଙ୍କ୍‌ ହାସଲ ପାଇଁ ପାକ୍‌ ଉଦ୍ୟମକୁ ଭାରତ ବିରୋଧ କରିବ ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି । ପାକିସ୍ତାନ ଭଳି ଅବିଶ୍ବାସୀ ଏବଂ ଶତ୍ରୁ ରାଷ୍ଟ୍ରକୁ ଟି-୯୦ ଯୁଦ୍ଧ ଟ୍ୟାଙ୍କ୍‌ ମିଳିଲେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ପାକିସ୍ତାନ ୨୦୨୫ ସୁଦ୍ଧା ଭାରତର ସାମରିକ ଶକ୍ତି ସହ ତାଳ‌ ଦେଇ ସୀମାରେ ନିଜ ଶକ୍ତି ବୃଦ୍ଧି କରିବାକୁ ଚାହୁଛି । ରୁ‌ଷ୍‌ ଭାରତର ଅତ୍ୟନ୍ତ ବିଶ୍ବସ୍ତ ସାମରିକ ସହଯୋଗୀ ହୋଇଥିବାରୁ ଏ କ୍ଷେତ୍ରରେ ଭାରତ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିବ ଏବଂ ଚୀନ୍‌ର ଘନିଷ୍ଠ ବନ୍ଧୁ ସାଜିଥିବା ପାକିସ୍ତାନର ସାମରିକ ଶକ୍ତି ବୃଦ୍ଧିକୁ ରୋକିବାପାଇଁ ବିଭିନ୍ନ ପର‌୍ୟ୍ୟାୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନର ପ୍ରତ୍ୟେକ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଭାରତ ଦେଉଛି । ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକ୍ ଅଧିକୃତ କଶ୍ମୀରରେ ପାକ୍‌ ସେନା ଏବେ ତା’ର ରଣନୀତି ବଦଳାଇଛି । ଆତଙ୍କବାଦୀ ଶିବିରଗୁଡ଼ିକୁ ପାକ୍‌ ସେନା ଅଧିକ ସୁରକ୍ଷା ଯୋଗାଉଛି । ଭାରତ ସେନାର ଆଧୁନିକୀକରଣ ପାଇଁ ଏବେ ବହୁତ ବଡ଼ ଯୋଜନା ହାତକୁ ନେଇଥିବାବେଳେ ୬୦,୦୦୦ କୋଟି ଟଙ୍କା ବ୍ୟୟରେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଯୋଜନା ହୋଇଛି । ଭାରତୀୟ ସେନାରେ ଏବେ ଅଧିକାଂଶ ଟି-୯୦, ଟି-୭୦ ଏବଂ ଅର୍ଜୁନ ଟ୍ୟାଙ୍କ୍‌ ରହିଛି । ଭାରତ ସହ ତାଳ‌ ଦେଇ ଶକ୍ତି ବୃଦ୍ଧି ନିମନ୍ତେ ପାକିସ୍ତାନର ଯୋଜନାକୁ ଚୀନ୍‌ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି ।