ନ୍ୟାୟ ପାଇଲେ ନ୍ୟାୟଧୀଶ ! ୫ବର୍ଷ ତଳର ସବଜଜ୍ ଅନୁପମା ବେହେରା ହତ୍ୟା ମାମଲାରେ ଆସିଲା ରାୟ, ଦୁଇଭାଇଙ୍କୁ ମିଳିଲା ସଜା

78

କନକ ବ୍ୟୁରୋ : ମହିଳା ବିଚାରପତି ହତ୍ୟା ମାମଲାରେ ଆସିଲା ରାୟ । ସବଜଜ୍ ଅନୁପମା ବେହେରା ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । କଟକ ଜିଲ୍ଲା କୋର୍ଟ ଏହି ମାମଲାରେ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଇ ଭାଇ ଜ୍ୟୋତିରଞ୍ଜନଙ୍କୁ ୪ ବର୍ଷ ଓ ପ୍ରିୟରଞ୍ଜନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିଲା । ଅନୁପମା ବେହେରାଙ୍କୁ ୨୦୧୩ ମସିହା ମାର୍ଚ୍ଚ ୧୫ ତାରିଖରେ ହତ୍ୟା କରାଯାଇଥିଲା । ଅନୁପମାଙ୍କ କ୍ୱାର୍ଟରରେ ତାଙ୍କ ମୃତଦେହ ପଡିଥିଲା । ପେଟରେ ଛୁରି ଭୁଷିବା ପରେ ମୁହଁ ଉପରେ ତକିଆ ଦେଇ ତାଙ୍କୁ ହତ୍ୟା କରାଯାଇଥିଲା ।

ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ୨୦୧୩ ମସିହା ମାର୍ଚ୍ଚ ୧୪ ତାରିଖ ଅର୍ଥାତ ଗୁରୁବାର ଦିନ ବିଚାର ବିଭାଗୀୟ ଅଧିକାରୀ ଅନୁପମା ବେହେରାଙ୍କ ବାଲେଶ୍ୱରସ୍ଥିତ ସରକାରୀ ବାସଭବନରେ ପହଂଚିଥିଲା ପ୍ରିୟରଞ୍ଜନ ମହାନ୍ତି । ଉଭୟ ରାତ୍ରୀଭୋଜନ ସାରି ବିଛଣାକୁ ଗଲେ । ଆଉ ପରଦିନ ଭୋର ପ୍ରାୟ ୪ଟାରୁ ୫ଟା ମଧ୍ୟରେ ପ୍ରଥମେ ଅନୁପମାଙ୍କ ପେଟରେ ଛୁରି ଭୁଷିବା ପରେ ଜୀବନରୁ ମାରିଦେବା ପାଇଁ ମୁହଁକୁ ଏକ ତକିଆରେ ମାଡି ବସିଥିଲା ପ୍ରିୟରଞ୍ଜନ । ଏହି ହତ୍ୟାକାଣ୍ଡକୁ ରୂପଦେବା ପରେ ଅନୁଗୁଳ ଫେରାର ହୋଇଯାଇଥିଲା । ଶୁକ୍ରବାର ସକାଳୁ ଅନୁପମାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।

ନୟାଗଡ ରଣପୁର କୋର୍ଟରେ ପ୍ରୋସେସ ଇନସ୍ପେକ୍ଟର ଭାବେ କାମକରୁଥିବା ଅନୁପମା ବେହେରା ୨୦୦୯ରେ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ । ହେଲେ ବୈବାହିକ ଜୀବନରେ ଅସନ୍ତୋଷର ଫାଇଦା ଉଠାଇ ହଠାତ ଅନୁପମାଙ୍କ ସହ ସଂପର୍କ ଯୋଡିବାରେ ସଫଳ ହେଇଥିଲେ ସେହି କୋର୍ଟରେ କ୍ଲର୍କ ଭାବେ କାମ କରୁଥିବା ଜ୍ୟୋତିରଞ୍ଜନ ମହାନ୍ତି । ଜ୍ୟୋତିରଞ୍ଜନ ପୂର୍ବରୁ ବିବାହିତ ହୋଇଥିବାରୁ ଏହି ସଂପର୍କକୁ ନେଇ ସୃଷ୍ଟି ହୋଇଥିଲା ଝଡ ।

ଏପରିକି ୨୦୧୦ରେ ଅନୁପମାଙ୍କୁ ଭଦ୍ରକାଳୀ ମନ୍ଦିରରେ ବିବାହ କରିଥିଲେ ଜ୍ୟୋତିରଞ୍ଜନ । ଦୁହିଁଙ୍କ ସଂପର୍କକୁ ନେଇ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ ଜ୍ୟୋତିରଞ୍ଜନଙ୍କ ପତ୍ନୀ । ତେଣୁ ଅନୁପମାଙ୍କୁ ରାସ୍ତାରୁ ହଟାଇ ଦେଇ ସବୁ ସମସ୍ୟା ଶେଷ କରିବାକୁ ବାଛି ନେଇଥିଲେ ଜ୍ୟୋତିରଞ୍ଜନ । ଅନୁପମା ବାଲେଶ୍ୱର ବଦଳି ହୋଇ ଆସିବା ପରେ ଜ୍ୟୋତିରଞ୍ଜନଙ୍କ ସହ ତାଙ୍କ ସାନଭାଇ ପ୍ରିୟରଞ୍ଜନ ମଧ୍ୟ ତାଙ୍କ ସରକାରୀ ବାସଭବନକୁ ଯିବା ଆସିବା କରୁଥିଲେ । ଏପରିକି ରାତିରେ ରହୁଥିବା ବି ଦେଖିଛନ୍ତି ପାଖ ପଡୋଶୀ । ଅନୁପମାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ଜ୍ୟୋତିରଞ୍ଜନ, ଯାହାକୁ ରୂପ ଦେଇଥିଲେ ଭାଇ ପ୍ରିୟରଞ୍ଜନ । ମାର୍ଚ୍ଚ ୨୫ ତାରିଖରେ ସବ-ଜଜ ଭାବରେ କୋରାପୁଟରେ ଯୋଗ ଦେଇଥାନ୍ତେ ଅନୁପମା । ହେଲେ ତା ପୂର୍ବରୁ ଶିକାର ହୋଇସାରିଥିଲେ ଏକ ସୁଚିନ୍ତିତ ହତ୍ୟା ଷଡଯନ୍ତ୍ରର ।