ନବୀନଙ୍କ ମିଶନ ‘୧୯’ ! ସତର ବର୍ଷର ସବୁଠାରୁ ବଡ ଅଦଳବଦଳ

46

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର । ୧୭ ବର୍ଷର ବିଜେଡି ଶାସନ ଭିତରେ ସବୁଠାରୁ ବଡ ଅଦଳବଦଳ । ନବୀନ ସରକାରଙ୍କ ଚତୁର୍ଥ ପାଳିର ୩ ବର୍ଷ ପରେ ଆକସ୍ମିକ ଭାବେ ୫୦ ପ୍ରତିଶତ ମନ୍ତ୍ରୀ ଇସ୍ତଫା ଦେବା ପରେ ପୁଣି ଶପଥ ନେଇଛନ୍ତି ୧୨ ନୂଆ ମନ୍ତ୍ରୀ । ସେହିପରି ବିଭାଗରେ ହୋଇଛି ବ୍ୟାପକ ଅଦଳବଦଳ । କୁହାଯାଉଛି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ନବୀନ ନିଜ ମନ୍ତ୍ରିମଣ୍ଡଳରେ ନୂଆ ଉର୍ଜା ଭରିଛନ୍ତି । ଏବେ ଆସନ୍ତୁ ନଜର ପକାଇବା-ନବୀନଙ୍କ ଟିମ୍ରେ ସ୍ଥାନ ପାଇଥିବା ୧୦ ନୂଆ ମୁହଁଙ୍କ ଉପରେ ।

ଶଶିଭୂଷଣ ବେହେରା
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନବୀନଙ୍କ ଟିମରେ ପ୍ରଥମକରି ସାମିଲ ହୋଇଥିବା ଏହି ୬୪ ବର୍ଷୀୟ ନେତା ସରକାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହାତେଇବାରେ ସଫଳ ହୋଇଛନ୍ତି । କୁହାଯାଏ ମୁଖ୍ୟମନ୍ତ୍ରୀଙ୍କ ପରେ ଅର୍ଥମନ୍ତ୍ରୀ ପଦ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦ୍ୱିତୀୟ ସର୍ବାଧିକ ଗୁରୁତ୍ୱ ରଖୁଥିବା ପଦବୀ । ରାଜ୍ୟ ଅର୍ଥନୀତି ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହି ନୂଆ ଚେହେରା ଉପରେ ଆସ୍ଥା ପ୍ରକଟ କରିଛନ୍ତି ନବୀନ । ଖାଲି ସେତିକି ନୁହେଁ ଗୁରୁତ୍ୱପୂର୍ଣ୍ଣ ଅବକାରୀ ବିଭାଗ ମଧ୍ୟ ତାଙ୍କୁ ଦିଆଯାଇଛି ।

ପ୍ରତାପ ଜେନା
ଏକ ବିବାଦୀୟ ଘଟଣାକ୍ରମରେ ଅତନୁ ସବ୍ୟସାଚୀ ନାୟକ ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଛାଡିବା ପରେ ପ୍ରଦୀପ ଅମାତ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ । ତେଣୁ କାହାକୁ ମିଳିବ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦ ତାହା ମଧ୍ୟ ଚର୍ଚ୍ଚାରେ ରହିଥିଲା । ଜଣେ ଟାଣୁଆ ସଂଗଠକ ଭାବେ ଜଣାଶୁଣା ତଥା ପୂର୍ବରୁ ମନ୍ତ୍ରୀ ରହିଥିବା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଦୀର୍ଘଦିନ ପରେ ମନ୍ତ୍ରିମଣ୍ଡଳରେ ସାମିଲ କରି ଏହି ଗୁଗୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ନବୀନ ।

ମହେଶ୍ୱର ମହାନ୍ତି
ପୁରୀ ଷ୍ଟ୍ରଙ୍ଗମ୍ୟାନ ମହେଶ୍ୱର ମହାନ୍ତି ପୁଣି ଫେରିଛନ୍ତି ମନ୍ତ୍ରିମଣ୍ଡଳକୁ । ବାଚସ୍ପତି ଓ ଆଇନ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଏହି ୬୧ ବର୍ଷୀୟ ନେତାଙ୍କୁ ଦିଆଯାଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ବିଜେଡିର ଗଡ ରହିଥିବା ପୁରୀ ଜିଲ୍ଲାକୁ ୨୦୧୯ ପାଇଁ ପ୍ରସ୍ତୁତ ରଖିବାକୁ ନବୀନ ପାଂଚ ପାଂଚ ଥର ବିଧାୟକ ଥିବା ମହେଶ୍ୱରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

ସୂର୍ଯ୍ୟ ନାରାୟଣ ପାତ୍ର
ଗଞ୍ଜାମ ରାଜନୀତିର ଏହି ପ୍ରଭାବଶାଳୀ ନେତା କମବ୍ୟାକ୍ କରିଛନ୍ତି । ପୂର୍ବରୁ ନବୀନ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହିଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମିଳିଛି ଖାଦ୍ୟା ଯୋଗାଣ, ସାଧାରଣ ବଂଟନ ଓ ସମବାୟ ବିଭାଗ । ମନ୍ତ୍ରୀପଦରୁ ଯିବା ପରେ ମଧ୍ୟ ଦଳ ପ୍ରତି ତାଙ୍କର ଆନୁଗତ୍ୟ ପର୍ବ ମର୍ଯ୍ୟାଦା ଫେରାଇ ଆଣିଛି । ପଂଚାୟତ ନିର୍ବାଚନରେ ବିଜେପି ଅଧିକାଂଶ ସ୍ଥାନରେ ଟକ୍କର ଦେଇଥିଲେ ବି ଗଂଜାମରେ କିନ୍ତୁ ପଶି ପାରିନଥିଲା । ବୋଧହୁଏ ସୂର୍ଯ୍ୟଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇଥିବା ଅନୁଭବ କରି ତାଙ୍କୁ ପୁରସ୍କୃତ କରିଛନ୍ତି ନବୀନ ।

ପ୍ରଫୁଲ୍ଲ ସାମଲ
ମହିଳା ବିଭାଗର ପୁରୁଷ ମନ୍ତ୍ରୀ । ମହିଳା, ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି ଭଦ୍ରକ ଜିଲ୍ଲାର ୭୦ ବର୍ଷୀୟ ପ୍ରଭାବଶାଳୀ ନେତା ପ୍ରଫୁଲ୍ଲ ସାମଲଙ୍କୁ । ୧୯୯୦ରେ ବିଜୁ ବାବୁଙ୍କ ୧୨୩ ଆସନର ରେକର୍ଡ ବିଜୟବେଳେ ପ୍ରଥମଥର ପାଇଁ ବିଧାନସଭାକୁ ଆସିଥିବା ଏହି ବରିଷ୍ଠ ନେତା ପୁଣି ଫେରିଛନ୍ତି ମନ୍ତ୍ରିମଣ୍ଡଳକୁ ।

ନିରଂଜନ ପୂଜାରୀ
ନବୀନଙ୍କ ଶାସନ ଆରମ୍ଭରୁ ଲଗାତର ବିଧାୟକ ରହିଆସିଥିବା ଏହି ବରିଷ୍ଠ ନେତା ନିରଞ୍ଜନ ପୂଜାରୀ ବାଚସ୍ପତି ପଦବୀରୁ ଇସ୍ତଫା ଦେଇ ବନିଛନ୍ତି କ୍ୟାବିନେଟ ମନ୍ତ୍ରୀ । ଓକିଲ ପେଶା ଛାଡି ରାଜନୀତିକୁ ଆସିଥିବା ନିରଞ୍ଜନଙ୍କୁ ଶିଳ୍ପ ଓ ନଗର ଉନ୍ନୟନ ବିଭାଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବାର ପ୍ରଥମ ଦିନରେ ଇସ୍ତଫା ଦେଇଥିଲେ ନିରଞ୍ଜନ । ଆଉ ତାଙ୍କୁ ମିଲିଛି ଦୁଇ ଟାଣୁଆ ନେତା ଦେବୀ ମିଶ୍ର ଓ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧୀନରେ ଥିବା ଦୁଇ ଗିରିତ୍ୱପୂର୍ଣ୍ଣ ବିଭାଗ ।

ଅନନ୍ତ ଦାସ
ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ମିଲିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ବିଜେଡି ମୁଖ୍ୟ ସଚେତକ ଥିବା ଅନନ୍ତ ଦାସଙ୍କୁ ମିଲିଛି ଗୁରୁତ୍ୱପୂର୍ଣ୍ଣ ଉଚ୍ଚଶିକ୍ଷା ବିଭାଗ । ୭୭ ବର୍ଷୀୟ ଅନନ୍ତ ପ୍ରଥମଥର ଲାଗି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ଓଡିଶା ପ୍ରଶାସନିକ ସେବାରୁ ଅବସର ନେବା ପରେ ବିଜେଡି ଟିକେଟରୁ ତିନି ତିନିଥର ବାଲେଶ୍ୱର ଭୋଗରାଇରୁ ନିର୍ବାଚନ ଜିତି ନବୀନଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି ଏହି ନେତା । ଜିଲ୍ଲାର ଜଣେମାତ୍ର ମନ୍ତ୍ରୀ ଭାବରେ ସଂଗଠନକୁ ଆଗେଇ ନେବାର ଗୁରୁ ଦାୟିତ୍ୱ ଏବେ ଅନନ୍ତଙ୍କ କାନ୍ଧରେ ।

ନୃସିଂହ ସାହୁ
ଡାକ୍ତରୀ ପେଶାରୁ ରାଜନୀତିକୁ ଆସିଥିବା ଏହି ନେତା କଂଗ୍ରେସରୁ ବିଜେଡିକୁ ଆସିବା ପରେ ପର୍ଜଙ୍ଗରୁ ଦୁଇଦୁଇ ଥର ବିଜେଡି ଟିକେଟରେ ଜିତିଥିବା ଡକ୍ଟର ନୃସିଂହ ସାହୁଙ୍କୁ ନବୀନ ତାଙ୍କ ନୂଆ ଟିମରେ ସାମିଲ କରିଛନ୍ତି । ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ପର୍ଜଙ୍ଗରୁ ବିଧାୟକ ନୃସିଂହ ସାହୁଙ୍କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଲରେ ସାମିଲ କରିଛନ୍ତି ନବୀନ ।

ଚନ୍ଦ୍ରସାରଥି ବେହେରା
କଟକ ଜିଲ୍ଲାରୁ ବହୁ ବଡବଡ ନେତାଙ୍କୁ ପଛରେ ପକାଇ ମାତ୍ର ଦୁଇଥର ବିଧାୟକ ହୋଇଥିବା ଏହି ୪୨ ବର୍ଷୀୟ ନେତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଂଟ୍ରି କରିଛନ୍ତି । ପ୍ରଥମେ ସାଲେପୁର ଓ ୨୦୧୪ରେ କଟକ ସଦରରୁ ବିଧାୟକ ହୋଇଥିବା ଏହି ଯୁବ ନେତାଙ୍କ କାନ୍ଧରେ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ଦାୟିତ୍ୱ ଦେଇଛନ୍ତି ନବୀନ । ପୂର୍ବତନ ମନ୍ତ୍ରୀ କାଳନ୍ଦୀ ବେହେରାଙ୍କ ପୁଅ ଏବେ ମନ୍ତ୍ରୀଭାବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ।

ସୁଶାନ୍ତ ସିଂହ
ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର ଭଟଲି ନିର୍ବାଚନ କ୍ଷେତ୍ରରୁ ବିଧାୟକ ଥିବା ସୁଶାନ୍ତ ସିଂଙ୍କୁ ପ୍ରଥମଥର ଲାଗି ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ । ବିଜେଡି କୃଷକ ସେଲର ଆବାହକ ଥିବା ସୁଶାନ୍ତଙ୍କୁ ଶ୍ରମ ଓ ଇଏସଆଇ ବିଭାଗ ଦାୟିତ୍ୱ ଦେଇଛନ୍ତି ନବୀନ । ଜଣେ ସାଧାରଣ କୃଷକ ପରିବାରୁ ଆସିଥିବା ଏହି ୪୪ ବର୍ଷୀୟ ଅବିବାହିତ ନେତା ଚାଷୀଙ୍କୁ ସଂଗଠିତ କରିବାରେ ବେଶ ଦକ୍ଷ ଭାବେ ଜଣାଶୁଣା । ତାଙ୍କ ଅଂଚଳରେ ବିଜେପି ମୁଣ୍ଡ ଟେକୁଥିବାବେଳେ ବିଜେଡି ସଂଗଠନର ଦାୟିତ୍ୱ ମିଳିଛି ଏହି ଯୁବ ନେତାଙ୍କୁ ।