ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ମରୁଡି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ହେବ ସମୀକ୍ଷା ବୈଠକ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମରୁଡି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ ହେବ । ମନ୍ତ୍ରୀ ପରିଷଦ ବୈଠକ ପରେ ନବୀନ ଦିଲ୍ଲୀ ଯିବେ । ପିଏମଓରେ ହେବାକୁ ଥିବା ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ, କୃଷିମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ରାଜ୍ୟରେ ମରୁଡି ସ୍ଥିତି ଉତ୍କଟ ଥିବା ବେଳେ ରାଜ୍ୟ ସରକାର ପାଖାପାଖି ୨୪୦୦ କୋଟି ଟଙ୍କାର ମରୁଡି ସହାୟତା ଦାବି କରିଥିଲେ । କିନ୍ତୁ କେନ୍ଦ୍ର ରାଜ୍ୟକୁ ୮୧୫ କୋଟିର ଅନୁଦାନ ଦେବାକୁ ଘୋଷଣା କରିଥିଲା । ଗତ କିଛି ଦିନ ମଧ୍ୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ମରୁଡି ସ୍ଥିତି ନେଇ ଆଲୋଚନା କରୁଛନ୍ତି ।

ସେପଟେ ଆସନ୍ତା ୧ରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ ନେତାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଦୁଇ ବର୍ଷ ପୁର୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ । କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ସାମ୍ନାରେ ବଖାଣିବାକୁ ବିଜେପି ପକ୍ଷରୁ ଆୟୋଜନ କରାଯାଉଥିବା ସାଧାରଣ ସଭାରେ ମୋଦି ସାମିଲ ହେବେ । ଆସନ୍ତାକାଲି ଏନେଇ ଦଳୀୟ ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ସୂଚନା ଦେବେ । ଗତ କିଛି ମାସ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ଏହା ହେବ ତୃତୀୟ ଓଡିଶା ଗସ୍ତ । ଗତ କିଛି ଦିନ ତଳେ ପାରାଦୀପରେ ଆଇଓସିଏଲ ଲୋକାର୍ପଣ ଉତ୍ସବ ଓ ବରଗଡରେ ଆୟୋଜିତ କୃଷକ ସମାବେଶରେ ମୋଦି ସାମିଲ ହୋଇଥିଲେ ।

ଏହା ସହ କେତେ ସଫଳ କେତେ ବିଫଳ ?