ମୋଦି କେୟାର ବନାମ ନବୀନ କେୟାର : ମୋଦିଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ନବୀନ ପଟ୍ଟନାୟକ

42

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନା ଓଡ଼ିଶାକୁ ଆସିବ ନା ନାହିଁ ସେ ନେଇ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ନବୀନ କହିଛନ୍ତି ଆୟୁଷ୍ମାନ ଯୋଜନାରେ ଓଡିଶାରୁ ବାଦ ପଡୁଥିବା ୦୮ଲକ୍ଷ ପରିବାରକୁ କେନ୍ଦ୍ର ସରକାର ଯୋଜନାଭୁକ୍ତ କଲେ ଓଡିଶା ଏହି ଯୋଜନାରେ ସାମିଲ ହେବ ବୋଲି ମତ ରଖିଛନ୍ତି ରାଜ୍ୟ ସରକାର ।

ମୋଦି ସରକାରଙ୍କ ସବୁଠାରୁ ବଡ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତକୁ କାହିଁକି ଓଡିଶା ପ୍ରତ୍ୟାଖ୍ୟାନ କରିଛି ସେନେଇ ନବୀନ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ନବୀନ ଲେଖିଛନ୍ତି, ସୋସିଓ ଇକୋନମିକ୍ କାଷ୍ଟ ସେନ୍ସସ୍ ବା ଏସ୍ଇସିସି ତଥ୍ୟ ଆଧାରରେ ଗଣନା କଲେ ମସ୍ତବଡ ଭୁଲ୍ ହୋଇଯିବ । ଏବଂ ୮ ଲକ୍ଷ ପରିବାର ଯୋଜନାରୁ ବାଦ୍ ପଡିଯିବେ । ଓଡିଶା ସରକାର ଯେଉଁ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ତାହା ପ୍ରାୟ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବ । ଏଥିସହ ନବୀନ ଆହୁରି ଲେଖିଛନ୍ତି, ଯଦି ମୋଦି ସରକାର ଓଡିଶାର ଦାବି ଶୁଣିବେ ଏବଂ ଆୟୁଷ୍ମାନ ଭାରତରେ ୮ ଲକ୍ଷ ପରିବାରକୁ ସାମିଲ କରାଯିବ ତେବେ ଓଡିଶା ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇଯିବ ।

ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାକୁ ନେଇ ନବୀନ ମୋଦିଙ୍କୁ ଲେଖିଥିବା ଚିଠିରେ ବିସ୍ତୃତ ଭାବେ ନିଜ ଆଭିମୁଖ୍ୟ ରଖିବା ସହ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ପୁଣି ଉଠାଇଛନ୍ତି । ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଂଖ୍ୟା ଅଧିକ ଥିବା ବେଳେ ବାରମ୍ବାର ପ୍ରାକୃତିକ ବିପଦର ସାମ୍ନା କରୁଛି । ଏସବୁ ଦୃଷ୍ଟିରୁ ଉତ୍ତର-ପୂର୍ବ ଓ ହିମାଳୟ ପାଦ ଦେଶରେ ଅବସ୍ଥିତ ରାଜ୍ୟଗୁଡିକ ପରି ଓଡିଶାକୁ ବିଚାର କରିବା ଉଚିତ ବୋଲି ନବୀନ ଦାବି ରଖିଛନ୍ତି ।

ସ୍ୱାସ୍ଥ୍ୟ ସେବାକୁ ନେଇ ଯୋଜନା ଓ ଯୋଜନାକୁ ନେଇ ରାଜନୀତି ଭିତରେ ଏବେ ଯୋଜନାର ପରିସରକୁ ନେଇ ଉଠିଛି ସବୁଠାରୁ ବଡ ପ୍ରସଙ୍ଗ । ଯୋଜନାରେ କେତେ ଲୋକ ସାମିଲ ହେବେ ଓ କେତେ ହେବା ଦରକାର, ସେନେଇ ଏବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାକୁ ନେଇ ପୁଣିଥରେ କେନ୍ଦ୍ର ଓ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଥିବାର ଅଭାଷ ବି ମିଳିଛି । ଗୋଟିଏ ପଟେ ଗରିବଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଓ ବୀମାର କଥା କହୁଛନ୍ତି ନରେନ୍ଦ୍ର ମୋଦି ସରକାର । ଆଉ ଏପଟେ ଓଡିଶା ସରକାର ଯୋଜନାର ରୂପରେଖ ସହ ଆରମ୍ଭ କରିସାରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।

ଯଦି ଏବେ ଆୟୁଷ୍ମାନ ଯୋଜନାରେ ଓଡିଶା ସରକାର ସାମିଲ ହେବେ ତେବେ କଣ ରହିବ ଯୋଜନାର ରୂପ ରେଖ ତାହା ଏକ ବଡ ପ୍ରଶ୍ନ । ଗରିବଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ନିମନ୍ତେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଆୟୁଷ୍ମାନ ଯୋଜନା । ଆୟୁଷ୍ମାନ ଯୋଜନାରେ ଗରିବ ଶ୍ରେଣୀର ୫୦କୋଟି ପରିବାର ସାମିଲ ହେବେ, ଯେଉଁଥିରୁ ବାଦ ପଡୁଛନ୍ତି ଓଡ଼ିଶାର ପ୍ରାୟ ୮ଲକ୍ଷ ପରିବାର । ଏନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବି ଯୋଜନାର ରୂପରେଖ ପ୍ରସ୍ତୁତ ହୋଇ ନାହିଁ । ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି, ଯେଉଁଥିରେ ଉଭୟ ସରକାରୀ ଓ ବେସରକାରୀ ମେଡିକାଲରେ ଗରିବଙ୍କୁ ମିଳିବ ମାଗଣା ଚିକିତ୍ସା । ଯଦି କେନ୍ଦ୍ର ଓଡିଶାର ଦାବି ମାନିନିଏ ତେବେ କଣ ରହିବ ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରୂପରେଖ?