ରାଷ୍ଟ୍ରପତି ନିର୍ବାଚନ : ହାରିବା ସତ୍ୱେ ୫୦ ବର୍ଷର ରେକର୍ଡ଼ ଭାଙ୍ଗିଲେ ୟୁପିଏ ପ୍ରାର୍ଥୀ ମୀରା କୁମାର

21

ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ବଡ଼ ବିଜୟ ହାସଲ କରିଛନ୍ତି । ଏହାକୁ ବିଜେପି ରାମନାଥ କୋବିନ୍ଦଙ୍କ ଐତିହାସିକ ବିଜୟ ବୋଲି ମଧ୍ୟ କହୁଛି । ନିର୍ବାଚନ ଜିତି କୋବିନ୍ଦ କେବଳ ରେକର୍ଡ଼ ସୃଷ୍ଟି କରିନାହାନ୍ତି, ବିପକ୍ଷ ଦଳର ପ୍ରାର୍ଥୀ ମୀରା କୁମାର ହାରିକି ମଧ୍ୟ ରେକର୍ଡ଼ ସୃଷ୍ଟି କରିଛନ୍ତି । ଅନ୍ୟ ପକ୍ଷରେ କହିବାକୁ ସେ ଗଲେ ୫୦ ବର୍ଷର ରେକର୍ଡ଼ ଭାଙ୍ଗିଛନ୍ତି । ମୀରା କୁମାର ୧୦.୬୯ଲକ୍ଷ ଭୋଟରୁ ୩.୬୭ ଲକ୍ଷ ଭୋଟ୍ ପାଇଛନ୍ତି, ଯାହାଦ୍ୱାରା ରେକର୍ଡ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ କେ ସୁବାରାଓ ସବୁଠାରୁ ଅଧିକ ୩.୬୩ ଲକ୍ଷ ଭୋଟ ହାସଲ କରିଥିଲେ ।

କେ ସୁବାରାଓ ପୂର୍ବ ରାଷ୍ଟ୍ରପତି ଜାକିର ହୁସେନଙ୍କ ଠାରୁ ୧୯୬୭ରେ ନିର୍ବାଚନ ହାରିଥିଲେ । କିନ୍ତୁ ହାରିବା ସତ୍ୱେ ସେ ଏହି ବିରଳ ରେକର୍ଡ଼ ହାସଲ କରିଥିିଲେ । ତାହା ଦୀର୍ଘ ୫୦ ବର୍ଷ ଧରି ଏକ ଅପରାଜେୟ ରେକର୍ଡ଼ ହୋଇକି ରହିଥିଲା, ଯାହାକୁ ଏବେ ଭାଙ୍ଗିଛନ୍ତି ୟୁପିଏ ପ୍ରାର୍ଥୀ ମୀରା କୁମାର । ସୁବାରାଓଙ୍କ ଦ୍ୱିତୀୟ ରେକର୍ଡ଼ ଏବେବି ବଜାୟ ରହିଛି । ସେ ନିର୍ବାଚନରେ ସର୍ବାଧିକ ୪୩ ପ୍ରତିଶତ ଭୋଟ୍ ପାଇଥିଲେ କିନ୍ତୁ ମୀରା କୁମାର ପାଇଛନ୍ତି ମାତ୍ର ୩୪ ପ୍ରତିଶତ ଭୋଟ୍ ।

କୋବିନ୍ଦଙ୍କ ବିଜୟ ପରେ ବିଜେପି କହିଛି କି କୋବିନ୍ଦ ସର୍ବାଧିକ ୭୦ ପ୍ରତିଶତ ଭୋଟ୍ ହାସଲ କରିଛନ୍ତି । କିନ୍ତୁ ବିପକ୍ଷ ଦଳ ଅନୁସାରେ ତାଙ୍କୁ ମିଳିଛି ୬୬ ପ୍ରତିଶତ ଭୋଟ୍ । ପୂର୍ବ ଲୋକସଭା ଅଧ୍ୟକ୍ଷ ମୀରା କୁମାର ରାମନାଥ କୋବିନ୍ଦଙ୍କୁ ନର୍ବାଚନ ଜିତିବା ପରେ ଅଭିନନ୍ଦନ ଜଣାଇବା ସହ କହିଲେ କି ଏହି ପ୍ରତିଯୋଗିତା ଆଗକୁ ମଧ୍ୟ ଜାରି ରହିବ ।