ମୋଦି ପ୍ରତିଶ୍ରୁତି ଦେଇଥିଲେ ପାଳନ କଲେନି । ଆଇଜିଏଚକୁ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ପରିଣତ ଓ ବ୍ରାହ୍ମଣୀରେ ସେତୁ ନିର୍ମାଣ ପାଇଁ କହିଥିଲେ । ଦୀର୍ଘ ବର୍ଷ ବିତିଥିଲେ ବି କିଛି ହେଲାନି । ପ୍ରତିଶ୍ରୁତିର ୨ବର୍ଷ ଭିତରେ ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ବି ଫଳ ଶୂନ । ଆଇଜିଏଚରେ ଅଭିଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି, ଆଇଜିଏଚ କେବଳ ରେଫରାଲ ଡାକ୍ତରଖାନା ଭାବେ କାମ କରୁଛି । କିଛି ଦିନ ତଳେ ଏ ଥିଲା ବିଧାୟକ ଦିଲ୍ଲୀପ ରାୟଙ୍କ ଉଦବେଗ । ହେଲେ ଏହାରି ଭିତରେ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପାଇଁ ଶୁଭ ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଅର୍ଥାତ୍ ମୋଦି ଦେଇଥିବା ଗୋଟିଏ ପ୍ରତିଶ୍ରୁତି ପାଳନ ହୋଇଛି, ହେଲେ ଅନ୍ୟଟି କେବେ?
Kanak News is now on WhatsApp
Join and get latest news updates delivered to you via WhatsApp
ନେତାଙ୍କ ପ୍ରତିଶ୍ରୁତି ଆଉ ପାଳନ ଭିତରେ ଅନେକ ଗୁଡିଏ ଦିଗ ସାମ୍ନାକୁ ଆସୁଛି । ପ୍ରଥମଟି ହେଲା ଖୋଦ ପ୍ରଧାନମନ୍ତ୍ରୀ ଘୋଷଣା କରି ଯିବାର ପାଖାପାଖି ଦୁଇବର୍ଷ ପରେ ଗୋଟିଏ କଥା ପୂରଣ ହେଉଛି । ଅନ୍ୟ ଦିଗଟି ହେଲା, ବିଜେପିର ଜଣେ ଟାଣୁଆ ନେତା ଦିଲ୍ଲୀପ ରାୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ତାଙ୍କର ଯଥେଷ୍ଟ ଖାତିର ରହିଛି । ସେ ୨ ବର୍ଷ ଲାଗିବା ପରେ ଯାଇ ଗୋଟିଏ କାମ ଆଗକୁ ବଢ଼ିପାରିଲା । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, ଅନ୍ୟକ୍ଷେତ୍ରରେ କଣ ହେବ । ଯେଉଁଠି ପ୍ରତିଶ୍ରୁତି ସତ୍ୱେ କାମ ହେଉନଥିବ ଏବଂ ଜଣେ ପ୍ରଭାବୀ ନେତା ସେହି ଅଂଚଳରେ ନଥିବ, ତେବେ କଣ ଏହା କେବଳ ଘୋଷଣାରେ ଅଟକିଯିବ?
ଆଇଜିଏଚ ବାବଦରେ କେବେ ହେବ ପ୍ରତିଶ୍ରୁତି ପାଳନ? ହୁଏତ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁର କାମ ଆରମ୍ଭ ପରେ ଏହା ହେବ ରାଉରକେଲା ବିଧାୟକଙ୍କ ପ୍ରମୁଖ ମୁଦ୍ଦା । କାରଣ ଇସ୍ପାତ ସହରର ସ୍ୱାସ୍ଥ୍ୟସେବାର ସ୍ଥିତି ନେଇ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଛି । ଯାହାର ନେତୃତ୍ୱ ଧରି ଆଗକୁ ବଢିଛନ୍ତି ଦିଲ୍ଲୀପ ରାୟ । ଏଭଳି କ୍ଷେତ୍ରରେ ପ୍ରଶ୍ନ ଉଠିବ, କେନ୍ଦ୍ରକୁ ଆଉ କେତେ ଦିନ ଲାଗିବ ଏହି ପ୍ରତିଶ୍ରୁତି ପାଳନ କରିବାକୁ? ହୁଏତ ନେତାଙ୍କ ପକ୍ଷରେ ଘୋଷଣା କରିବା ସହଜ କିନ୍ତୁ ପାଳନ କରିବା ବହୁତ କଷ୍ଟ ।
ଅନୁମାନ କରାଯାଉଛି, ଆଗାମୀ ଦିନରେ ଏହା ହେବ ରାଉରକେଲା ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ । କାରଣ, ବ୍ରାହ୍ମଣୀ ପ୍ରସଙ୍ଗରେ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ । ଯେତେବେଳେ ସାରା ଦେଶରେ ମୋଦି ସରକାରଙ୍କ ତୃତୀୟ ବର୍ଷ ପୁର୍ତ୍ତିକୁ ବିଜେପି ବେଶ ଭଲଭାବେ ପାଳନ କରୁଥିଲା ସେତେବେଳେ ଦିଲ୍ଲୀପ ରାୟ କହିଥିଲେ, ମୋଦି ତାଙ୍କ କଥା ରଖିବାରେ ବିଫଳ ହୋଇଛନ୍ତି । ଏହି ବୟାନ ହିଁ ପରବର୍ତ୍ତି ପର୍ଯ୍ୟାୟରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ବାଧ୍ୟ କରିଥିଲା, ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ସାରି କାମ ଆରମ୍ଭ କରିବା ପାଇଁ ।
ଦିଲ୍ଲୀପ ରାୟ ଏହି ତମାମ ପ୍ରସଙ୍ଗ ଉଠାଇବା କିମ୍ବା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଟାର୍ଗେଟ କରିବା ପଛରେ ଗୁଢ ରାଜନୈତିକ ପ୍ରସଙ୍ଗ ଥାଇପାରେ, ଏଥିରେ କୈାଣସି ଦ୍ୱିମତ ହେବାର ନାହିଁ । ହେଲେ ଯେତେବେଳେ ଏକ ବୃହତ୍ତର ସ୍ୱାର୍ଥ ପାଇଁ ରାଜନୀତି କରାଯାଉଛି, ତେବେ ତାକୁ ସ୍ୱାଗତ କରିବାର ମଧ୍ୟ ଆବଶ୍ୟକତା ରହୁଛି । ଧୀରେ ଧୀରେ ବିଜେପି ଠାରୁ ଦିଲ୍ଲୀପ ରାୟଙ୍କ ଦୂରତା ବଢିବା ଦଳର କୈାଣସି କାର୍ଯ୍ୟକ୍ରମରେ ନିଜକୁ ସାମିଲ ନକରିବା ଏହି ତମାମ ପ୍ରସଙ୍ଗ ଦିଲ୍ଲୀପ ରାୟଙ୍କ ରାଜନୈତିକ ଭବିଷ୍ୟତ ବିଜେପି ସହ ଜଡିତ ରହିବ କି ନାହିଁ ତାକୁ ନେଇ ସନ୍ଦେହର ବାତାବରଣ ତିଆରି କରିଥିଲା । କୁହାଯାଉଥିଲା, ବିଜୁ ଜନତା ଦଳ ଆଡକୁ ପୁଣି ଢଳୁଛନ୍ତି ଦିଲ୍ଲୀପ ରାୟ ।
ତେବେ ଏହାରି ଭିତରେ ମୋଦି ଦେଇଥିବା ପ୍ରଥମ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି କେନ୍ଦ୍ର ସରକାର । ଆଉ ବାକି ରହିଗଲା ଆଇଜିଏଚ ପ୍ରସଙ୍ଗ । ସୂଚନା ଅନୁସାରେ, ଆଗାମୀ ଦିନରେ ଦିଲ୍ଲୀପ ରାୟ ଏହାକୁ କେନ୍ଦ୍ର ବିରୋଧରେ ପ୍ରୟୋଗ କରିପାରନ୍ତି । ଯାହା ବିଜେପିର ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ ଅଡୁଆରେ ପକାଇପାରେ । ମାଟି, ପାର୍ଟି, ପଲିଟିକ୍ସର ଏହା ହେଉଛି ଭିନ୍ନ ଏକ ଦିଗ । ଯେତେବେଳେ ନେତା ମାଟି କଥା କହି ପାର୍ଟିକୁ ଅକଳରେ ପକାଇ ରାଜନୈତିକ ସ୍ୱାର୍ଥ ହାସଲ କରନ୍ତି ।