ଭୁବନେଶ୍ୱରରେ କାର ଭିତରୁ ମିଳିଲା ମହିଳାଙ୍କ ମୃତଦେହ ! ଦୁର୍ଘଟଣା ନା ହତ୍ୟା ପରେ ଷଡଯନ୍ତ୍ର, ବଢିଲା ରହସ୍ୟ ।

38

କନକ ବ୍ୟୁରୋ : କାର୍ ଭିତରେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି କମିସନରେଟ୍ ପୋଲିସ ।  ମୃତ ମହିଳାଙ୍କ ପରିଚୟ ମିଳିଥିବା ବେଳେ କିପରି ତାଙ୍କର ମୃତ୍ୟୁ ଘଟିଲା ଏହାକୁ ନେଇ ସୃଷ୍ଟି ହୋଇଛି ସସପେନ୍ସ । ଗୋଟିଏ ପଟେ କାରର ଭଙ୍ଗା ଅଂଶ ପଡିଛି, କିଛି ଦୂରରେ ପାର୍କିଂ ହୋଇଛି କାର୍ । ମହିଳାଙ୍କ ସ୍ୱାମୀ ଫେରାର୍ ହୋଇଯାଇଥିବା ବେଳେ ତାଙ୍କର ୪ବର୍ଷ ପୁଅର ପତା ମିଳୁନାହିଁ । ଦୁର୍ଘଟଣାଗ୍ରସ୍ତ କାର୍ ଓ ତନୁଜାଙ୍କ ମୃତ୍ୟୁ ସସପେନ୍ସ ଭିତରେ ପୋଲିସ ଆରମ୍ଭ କରିଛି ଛାନଭିନ୍ ।

କାର୍ ଭିତରେ ମହିଳାଙ୍କ ମୃତଦେହ । ଦୁର୍ଘଟଣା ନା’ ହତ୍ୟାକାଣ୍ଡ ପରେ ଷଡ଼ଯନ୍ତ୍ର? ଭୁବନେଶ୍ୱର ସାମନ୍ତରାପୁର ମହାବୀର ଛକ ନିକଟରେ ଦେଖିବାକୁ ମିଳିଥିଲା ଏକ ଦୁର୍ଘଟଣାଗ୍ରସ୍ତ କାର୍ । କାରର ଆଗ ସିଟରେ ମୁହଁ ମାଡି ହୋଇ ରହିଥିଲା ଜଣେ ମହିଳାଙ୍କ ମୃତ ଦେହ । ଗୋଟିଏ ସ୍ଥାନରେ ହୋଇଥିଲା ଦୁର୍ଘଟଣା, ଅନ୍ୟ ସ୍ଥାନରେ ପାର୍କିଂ ହୋଇଥିଲା ଦୁର୍ଘଟଣାଗ୍ରସ୍ତ କାର, ଆଉ କିଛି ଦୂରରେ ପଡିଥିଲା କାର ଆଗରେ ଭଙ୍ଗା ଅଂଶ । ପ୍ରଶ୍ନ ଉଠୁଛି ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ସୁପରିକଳ୍ପିତ ଷଡ଼ଯନ୍ତ୍ର ।

ସାଇଣ୍ଟିଫିକ୍ ଟିମ୍ ଓ ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଂଚି ଆରମ୍ଭ କରିଛନ୍ତି ତଦନ୍ତ । ପ୍ରାଥମିକ ତଦନ୍ତରେ ମୃତ ମହିଳା ଜଣଙ୍କ ତନୁଜା ଆଇଚି ବୋଲି ଜଣାପଡିଥିଲା । ତନୁଜା ସ୍ଥାନୀୟ ଏକ ସ୍କୁଲରେ ପାଠ ପଢାଉଥିଲେ । ୪ ବର୍ଷର ପୁଅ ଓ ସ୍ୱାମୀ ସଂଗ୍ରାମ ଆଇଚିଙ୍କୁ ନେଇ ଥିଲା ତନୁଜାଙ୍କ ସଂସାର । ହେଲେ କିଛି ମାସ ହେବ ତାଙ୍କର ପାରିବାରିକ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼ ।  ମାଇନିଂ ଟ୍ରାନସପୋର୍ଟ ବ୍ୟବସାୟ କରୁଥିଲେ ସ୍ୱାମୀ ସଂଗ୍ରାମ ଆଇଚି । କ୍ରମାଗତ କ୍ଷତି ପରେ ସେ ତାଙ୍କ ବ୍ୟବସାୟ ବନ୍ଦ କରି ଦେଇଥିବା କହିଛନ୍ତି ତନୁଜାଙ୍କ ପରିବାର ।

ତନୁଜାଙ୍କ ମୃତଦେହ ମିଳିଥିବା କାରରୁ ଗୋଟିଏ ଡାଏରୀ ଓ କିଛି ଫଟୋ ଜବତ କରିଛି ପୋଲିସ । ତେବେ ଘଟଣା ପରେ ତନୁଜାଙ୍କ ସ୍ୱାମୀଙ୍କ ପତା ମିଳୁନାହିଁ । ଆଉ ତାଙ୍କର ୪ ବର୍ଷର ପୁଅର କେଉଁଠି ଅଛି ତାହା ମଧ୍ୟ ଜଣା ପଡିନାହିଁ । ଦୁର୍ଘଟଣାକୁ ଦେଖିଲେ, ଏଥିରେ ଜଣେ ମୃତ୍ୟୁବରଣ କରିବ ବୋଲି ସହଜରେ ବିଶ୍ୱାସ ହେଉନାହିଁ । ପ୍ୟାସେଂଜର ସିଟରେ ବସିଥିବା ତନୁଜାଙ୍କର ଯଦି ମୃତ୍ୟୁ ହେଲା, ତା’ହେଲେ ଗାଡ଼ି ଚାଳକ ଗଲେ କୁଆଡେ ବୋଲି ପ୍ରଶ୍ନ ଉଠିଛି । ସାଇଂଟିଫିକ୍ ଟିମ୍ ଜରିଆରେ ସତ ବାହାର କରିବାକୁ ତନାଘନା ଚଳାଇଛି କମିସନରେଟ୍ ପୋଲିସ ।