କାଂଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତ ! ୮୩ ବର୍ଷରେ ଜୟନ୍ଦ୍ର ସରସ୍ୱତୀଙ୍କ ପରଲୋକ

48

କନକ ବ୍ୟୁରୋ: ତାମିଲନାଡୁ କାଂଚି କାମକୋଟ୍ଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଯୋଗୁଁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ୧୯୩୫ ମସିହା ଜୁଲାଇ ୧୮ ତାରିଖରେ ଜୟେନ୍ଦ୍ର ସରସ୍ୱତୀ ଜନ୍ମଗ୍ରହଣ କରିଥିଲେ । ସେ କାମକୋଟ୍ଟି ପୀଠରେ ୬୯ ତମ ଶଙ୍କାରାଚାର୍ଯ୍ୟ ଥିଲେ । ଏଠାରେ ତାଙ୍କୁ ଜୟେନ୍ଦ୍ର ସରସ୍ୱତୀ ଉପାଧି ଦିଆଯାଇଥିଲା । ଏହା ପୂର୍ବରୁ ତାଙ୍କ ନାଁ ଥିଲା ଚନ୍ଦ୍ରଶେଖର ।

୨୦୦୪ ମସିହାରେ କାଂଚିପୁରମ ମନ୍ଦିରର ମ୍ୟାନେଜର ହତ୍ୟା ମାମଲାରେ ଜୟେନ୍ଦ୍ର ସରସ୍ୱତୀଙ୍କ ନାମ ଆସିଥିଲା । ଏହି ମାମଲାରେ ସେ ଗିରଫ ହୋଇ ୨ ମାସ ଜେଲରେ ଥିଲେ । ତେବେ ୨୦୧୩ ମସିହାରେ କୋର୍ଟ ଏହି ମାମଲାରେ ତାଙ୍କୁ ଦୋଷମୁକ୍ତ କରିଥିଲେ । ସେ ଥିଲେ ବେଦର ବିଶେଷଜ୍ଞ । ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସେ ଅତି ନିକଟତର ଥିଲେ ବୋଲି କୁହାଯାଉଥିଲା ।

୨୦୧୦ ମସିହାରେ ଜୟେନ୍ଦ୍ର ସରସ୍ୱତୀ ଦାବି କରିଥିଲେ , ବାଜପେୟୀଙ୍କ ନେତୃତ୍ୱାଧୀନ ବାଜପେୟୀ ସରକାର ସମୟରେ ଅଯୋଧ୍ୟା ବିବାଦ ସମାଧାନର ପନ୍ଥା ଏକପ୍ରକାର ବାହାରିସାରିଥିଲା ଓ ଆଇନ ମଧ୍ୟ ଆସିବା ଏକପ୍ରକାର ଚୂଡାନ୍ତ ହୋଇସାରିଥିଲା । ତାମିଲନାଡୁର କାଂଚିପୁରମରେ କାଂଚି କାମକୋଟ୍ଟି ପୀଠ ରହିଛି ।