ପେଶାରେ ଶିକ୍ଷକ, ନିଶାରେ କୃଷକ: ନିଆଳିର ସଫଳ ଚାଷୀ ସୁରେନ୍ଦ୍ର ମଲ୍ଲିକ୍

119

କନକ ବ୍ୟୁରୋ : କେତେବେଳେ ବଜାର ଦର ତ କେତେବେଳେ ସରକାରଙ୍କ ଉଦାସିନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ । ହେଲେ ନିଜର ଇଛାଶକ୍ତି ଆଗରେ ହାର ମାନିଛି ଏ ସବୁ ସମସ୍ୟା । ଶିକ୍ଷକତା ସହ ଉନ୍ନତ ପ୍ରଣାଳୀରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି ନିଆଳିର ସୁରେନ୍ଦ୍ର ମଲ୍ଲିକ୍ ।

 

କଟକ ଜିଲ୍ଲା ନିଆଳୀ ବ୍ଲକ ଜଲ୍ଲାରପୁର ଗାଁର ସୁରେନ୍ଦ୍ର ମଲ୍ଲିକ୍ । ପେଶା ଶିକ୍ଷକତା କିନ୍ତୁ ନିଶା ଚାଷକାର୍ଯ୍ୟ । ଜୈବିକ ଖତ ଏବଂ ବୁନ୍ଦା ଜଳସେଚନରେ ଚାଷ କରି ଯୁବପୀଢିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ସୁରେନ୍ଦ୍ର ମଲ୍ଲିକ୍ । କଲେଜ ପଢୀବା ସମୟରୁ ଚାଷ ପ୍ରତି ଆଗ୍ରହ ଥିଲା ସୁରେନ୍ଦ୍ରଙ୍କର । ତେଣୁ ସେ ୧୯୯୨ ମସହାରୁ ୨ ଏକର ଜମିରେ ଚାଷ ଆରମ୍ଭ କରିଥିଲେ । ସେଥିରେ ସଫଳ ହେବା ପରେ ଏବେ ୪ ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା ଓ ଫୁଲ ଚାଷ କରିଛନ୍ତି । ବାଇଗଣ, ପୋଟଳ, ଲଙ୍କା, କାକୁଡ଼ି, ଜହ୍ନି, କଲରା, କୋବି ଓ ବିଭିନ୍ନ ପ୍ରକାର ଫୁଲ ଚାଷ କରୁଛନ୍ତି ସୁରେନ୍ଦ୍ର । ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ ସୁପ୍ରିୟା ମଲ୍ଲିକ ।

ସୁରେନ୍ଦ୍ର ପରିବା ଚାଷ, ଚାରା ଉତ୍ପତି ଓ ଫୁଲଚାଷ ପାଇଁ ନିଜ ବାଡ଼ିରେ ଜିଆ ଖତ ପ୍ରସ୍ତୁତ କରିଥାନ୍ତି । ଋତୁ ଓ ପାଣିପାଗକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟ କରିଥାନ୍ତି ସୁରେନ୍ଦ୍ର । ଶିକ୍ଷାକତାରୁ ମିଳୁଥିବା ବଳକା ସମୟ ଚାଷ କାମରେ ନିୟୋଜିତ କରିଥାନ୍ତି । ପନିପରିବା, ଚାରା ରୋପଣ ଓ ଫୁଲ ଚାଷରୁ ବାର୍ଷିକ ସୁରେନ୍ଦ୍ର ୫ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଭଲ ଚାଷ କରି ସଫଳ ଚାଷୀ ହେବା ସହ ବିଭିନ୍ନ ସ୍ଥାନରୁ ସମ୍ମାନିତ ହୋଇଛନ୍ତି ସୁରେନ୍ଦ୍ର ।